ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ । ଆରମ୍ଭ ହେଲା ପ୍ରକ୍ରିୟା, ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ନୂତନ ନିର୍ମାଣ କାର୍ଯ୍ୟ ।

231

କନକ ବ୍ୟୁରୋ : କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣକାର୍ଯ୍ୟ ଆରମ୍ଭ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ସକାଳୁ ଏସ୍ସିରବି ଗସ୍ତ କରିବା ପରେ ବିଶ୍ୱସ୍ତରୀୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ତେବେ ଆଜି ସଂଧ୍ୟା ସୁଧା ଜିଲ୍ଲାପାଳ ଓ ଆରଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରିବା ସହିତ ଏହାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ବିଶ୍ୱସ୍ତରୀୟ ଚିକିତ୍ସାଳୟ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱର୍ଟର ଉଚ୍ଛେଦ ହେବ । ଏହି ପ୍ରକ୍ରିୟାରେ ୧୩ଜଣ ଡାକ୍ତରଙ୍କ ସରକାରୀ ଘର ହଟାଇବାକୁ ପଡିବ । ତେବେ ଉଚ୍ଛେଦ ହେଉଥିବା କର୍ମଚାରୀମାନଙ୍କୁ ସରକାର ଅନ୍ୟ ସ୍ଥାନରେ ରଖିବାର ବ୍ୟବସ୍ଥା କରୁବାବେଳେ ଅନ୍ୟ କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ ।

ଏହି ଅଧିଗ୍ରହଣରୁ ୨୫ଏକର ଜମି ସରକାରଙ୍କ ହାତକୁ ଆସିବ । ଫେବୃୟାରୀ ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ । ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ଗୃହ ଏବଂ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ ଏସ୍ସି ବି ପରିଦର୍ଶନରେ ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ ।