ଏସସିବିରେ ପୁଣି ଅବ୍ୟବସ୍ଥା ଅଭିଯୋଗ : ଅଲଟ୍ରାସାଉଣ୍ଡ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ୁଛି ଏକମାସ

180

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ପୁଣି ଥରେ ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି । ଏସସିବିରେ ଅଲଟ୍ରାସାଉଣ୍ଡ କରିବାକୁ ହେଲେ ମାସେ ଅପେକ୍ଷା କରିବାକୁ ପଡ଼ିବ । ଯାଜପୁର ଅଞ୍ଚଳର ଜଣେ ରୋଗୀଙ୍କ କ୍ଷେତ୍ରରେ ଏପରି ଘଟିଛି । ଯାଜପୁରର ରେବତୀ ନାମକ ଜଣେ ମହିଳା ଅସୁସ୍ଥା ଅନୁଭବ କରି ଏସସିବି ଆସିଥିଲେ । ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ ।

ହେଲେ ଅଲଟ୍ରାସାଉଣ୍ଡ କରିବା ପାଇଁ ତାଙ୍କୁ ମାସେ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ନିରାଶ ହୋଇ ସେ ଘରୋଇ ହସ୍ପିଟାଲକୁ ଯାଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ସାମାନ୍ୟ ଅଲଟ୍ରାସାଉଣ୍ଡ ପାଇଁ ଯଦି ରୋଗୀଟିଏ ମାସେ ଅପେକ୍ଷା କରିବ, ରିପୋର୍ଟ ଆସିବା ବେଳକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଥିବ ? ରୋଗ ବଢ଼ିଯିବାର ଅବା ଜୀବନ ବିପନ୍ନ ହେବାର ବି ଆଶଙ୍କା ରହିଛି। କେବଳ ଅଲ୍‌ଟ୍ରାସାଉଣ୍ଡ୍‌ ନୁହେଁ, ଅନ୍ୟ ଅନେକ ପରୀକ୍ଷା ପାଇଁ ରୋଗୀଙ୍କୁ ଏଭଳି ଦିନ ଦିନ ଧରି ଏସ୍‌ସିବିରେ ପ୍ରତୀକ୍ଷା କରିବାକୁ ପଡୁଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବି ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଯାହାକୁ ମାଗଣା ଚିକିତ୍ସା ନାଁରେ ଯାତନା ବୋଲି ରୋଗୀ ଓ ସଂପର୍କୀୟମାନେ ଅଭିଯୋଗ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ପ୍ରାୟ ୫୦୦ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି । ଏସ୍‌ସିବିରେ ମାତ୍ର ଦୁଇଟି ମେସିନ ଥିବ‌ାରୁ ଦୈନିକ ଶହେରୁ ଦେଢ ଶହ ରୋଗୀଙ୍କର ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଉଛି । ଯେତିକି ପରିମାଣରେ ରୋଗୀ ଆସୁଛନ୍ତି, ସେହି ଅନୁସାରେ ମେସିନ୍ ନାହିଁ । ତେଣୁ ଏସସିବିରେ ଏପରି ସମସ୍ୟା ସୃଷ୍ଟି ହେଉଛି ।