ଇତିହାସ ରଚିଲା ଏସସିବି । ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ । ତିଗିରିଆର ୪୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଲାଗିଲା ସ୍ତ୍ରୀଙ୍କ ଲିଭର

329

କନକ ବ୍ୟୁରୋ: ସ୍ତ୍ରୀ ଦେଲେ ସ୍ୱାମୀଙ୍କୁ ନୂଆ ଜୀବନ । ପତ୍ନୀଙ୍କ ଲିଭରରେ ବଞ୍ଚିବେ ସ୍ୱାମୀ । ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଏପରି ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି । ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ୬ ବର୍ଷ ହେଲା ଲିଭର ସମସ୍ୟା ରହିଥିଲା । ବଞ୍ଚିବା ପାଇଁ ତାଙ୍କ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା । ସେ ଦେଢମାସ ହେବ ଏସସିବିରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏସସିବିରେ ଲିଭର ପ୍ରତିରୋପଣ ପାଇଁ ନିଷ୍ପତି ନିଆଯାଇଥିଲା । ତାଙ୍କ ପତ୍ନୀ ଲିଭର ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏଥିପାଇଁ ୬ ମାସ ହେବ ସରକାରୀ ସ୍ତରରେ କାଗଜପତ୍ର ପ୍ରସ୍ତୁତି ଚାଲିଥିଲା । ଲିଭର ପ୍ରତିରୋପଣ ପାଇଁ ଅଥରାଇଜେସନ୍ କମିଟି ଅନୁମୋଦନ ଦେବା ପରେ ଗତ ମାସରୁ ରୋଗୀ ଜଣଙ୍କ ଏସସିବି ହେପାଟୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳ ସାଢେ ୭ଟାରୁ ଅପରାହଣ ୪ଟା ପର୍ଯ୍ୟନ୍ତ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇ ଲିଭର ପ୍ରତିରୋପଣ କରାଯାଇଛି । ଦୀର୍ଘ ୮ ଘଣ୍ଟାର ଅପରେସନ୍ ପରେ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି ।