ଏସସିବିରେ ନୂଆ ଇତିହାସ । ମୃତ ଯୁବତୀଙ୍କ ଦେହରୁ କିଡନୀ କାଢି ପ୍ରତିରୋପଣ ପାଇଁ ଉଦ୍ୟମ । ମଧ୍ୟରାତ୍ରିରେ ଭୁବନେଶ୍ୱରରୁ କଟକ ବଡ ଡାକ୍ତରଖାନାକୁ ଆସିଲା କିଡନୀ

843

କନକ ବ୍ୟୁରୋ: ରାଜ୍ୟ ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିବ ଏସସିବି । କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ ପ୍ରଚେଷ୍ଟା । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କଠାରୁ କିଡନୀ ନେଇ କଟକ ଏସସିବିରେ କୀଡନି ହରାଇଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ କୀଡନି ପ୍ରତିରୋପଣ ଚଳାଇଥିବା ସୂଚନା ମିଳିଛି ।

କିଡନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଉଛି । ଏହା ଓଡିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି । ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟ ଜଣଙ୍କ ଦେହରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କୁହାଯାଇଥାଏ । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସଦ୍ୟମୃତ ଘୋଷିତ ଜଣେ ଯୁବତୀଙ୍କ କିଡନୀ କାଢି ଏସସିବିକୁ ଆଣି ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ଚଳାଇଛନ୍ତି । ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମକ ୨୨ ବର୍ଷିୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ।

ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଜାଣିବା ପରେ ଜଣେ କିଡନୀ ହରାଇଥିବା ପୁରୁଷକୁ ବଂଚାଇବାକୁ ପଦକ୍ଷେପ ନେଇଛନ୍ତି ଏସସିବିର ବିଶେଷଜ୍ଞ ଡାକ୍ତର ଦଳ । ରାଜ୍ୟରେ କାଡଭାରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତି ନେଇଛନ୍ତି । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ ଗତ ରାତିରୁ ଆରମ୍ଭ ହୋଇଛି ।