ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭାରେ ହଙ୍ଗାମା : ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ଅଭିଯୋଗ ଆଣିଲେ ଖଣ୍ଡପଡା ବିଧାୟକ

ବିରୋଧୀ କହିଲେ ବାହାର ସଂସ୍ଥାକୁ କାମ ଦେବା ପାଇଁ ସରକାର କରୁଛନ୍ତି ଚକ୍ରାନ୍ତ, ମନ୍ତ୍ରୀ ରଖିଲେ ସଫେଇ

111

କନକ ବ୍ୟୁରୋ : ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ ଦେବା ପ୍ରସଙ୍ଗ । ଗୃହରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଧାୟକ କହିଛନ୍ତି. ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି, ହେଲେ ଓଡିଶାରେ ହେଉଥିବା ପ୍ରକଳ୍ପ ଗୁଡିକରେ ସେମାନଙ୍କୁ ସୁଯୋଗ ମିଳୁ ନାହିଁ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କଂପାନୀକୁ କାମ ଦିଆଯାଉଛି, ସ୍ଥାନୀୟ ଠିକାଦାରମାନେ କାମ ପାଉ ନାହାନ୍ତି ବୋଲି ଉଦବେଗ ପ୍ରକାଶ କରିଥିଲେ ଖଣ୍ଡପଡା ବିଧାୟକ ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମେଗା ଜଳ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ଜଟିଳ କରାଯାଇଛି । ସ୍ଥାନୀୟ ଲୋକ କେମିତି କାର୍ଯ୍ୟ ନପାଇ ବାହାର ସଂସ୍ଥା ଠିକା ପାଇବ ସେହି ଯୋଜନା ସରକାର କରୁଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଉତର ଦେଇ କହିଥିଲେ, ରାଜ୍ୟରେ ଏବେ ୯୦ଟି ମେଗା ପ୍ରକଳ୍ପ ଚାଲିଛି । ୬୯ଟି ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବ ରହିଛି । ଜଙ୍ଗଲରେ ହେଉ କି ପାହାଡ ଉପରେ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି ।

ସେହିପରି ବିଧାୟକ ଅମର ଶତପଥୀ ଗୃହରେ ପାନୀୟ ଜଳ ପ୍ରସଙ୍ଗରେ ବିବୃତି ଦେଇ କହିଛନ୍ତି, ମେଗା ପ୍ରକଳ୍ପ ଘୋଷଣା ହେଉଛି, କିନ୍ତୁ କାର୍ଯ୍ୟରେ ବିଳମ୍ବ ହେଉଛି । ଗୃହରେ କହିବାକୁ ସୁଯୋଗ ନମିଳିବା ଅଭିଯୋଗ ଆଣି ବିରୋଧୀ ହଙ୍ଗାମା କରିଥିଲେ ।

Comments are closed.