କନକ ବ୍ୟୁରୋ : ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାର କାର୍ଯ୍ୟରେ ପିସି କାରବାର କିଛି ଏଭଳି ମାତ୍ରାରେ ବଢ଼ିଯାଉଛି ଯେ, ଯନ୍ତ୍ରୀଙ୍କ ନିକଟରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ମିଳୁଛି । କୁହାଯାଉଛି, ସହରରେ ରହିବା ବଦଳରେ ଅଧିକାରୀ ଉପାନ୍ତ ଅଞ୍ଚଳରେ ରହି ସମସ୍ତଙ୍କ ନଜର ଆଢୁଆଳରେ ପାପ ସାମ୍ରାଜ୍ୟ ବଢାଇଚାଲନ୍ତି ।

ଓଡ଼ିଶାର ଉପାନ୍ତ ଅଂଚଳରେ ଆଖିବୁଜା ଦୁର୍ନୀତି ହେଉଛି । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୨ କୋଟିରୁ ଅଧିକ ନଗଦ ଟଙ୍କା ଦେଖି କାବା ହୋଇ ଯାଇଛନ୍ତି ଅଧିକାରୀ । ସେହିପରି ଗତ ମାସରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଜବତ ହୋଇଥିଲା ପ୍ରାୟ ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା । ଦୁହିଁଙ୍କ ଘରୁ ପୁଳା ପୁଳା ନଗଦ ଟଙ୍କା ହିଁ ବୟାନ କରୁଛି ଦୁର୍ନୀତିର ଚେର କେତେ ଭିତରକୁ ଲମ୍ବିଛି ।

ବର୍ଷ ବର୍ଷ ଧରି ବେଧଡ଼କ ଭାବେ ଦୁର୍ନୀତି ଚାଲିଛି, ପିସି କାରବାର ହେଉଛି । ଅସାଧୁ ଉପାୟରେ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିରାଣି ଓ ଅଧିକାରୀ । କିଛି ଭିଜିଲାନ୍ସ ଜାଲରେ ପଡୁଛନ୍ତି, କିନ୍ତୁ ପୂରା ବ୍ୟବସ୍ଥା ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହୋଇଛି ।

ପିସି ନଦେଲେ କାମ ବନ୍ଦ । ଦୁର୍ନୀତିର ଗନ୍ତାଘର ପାଲଟିଛି ଉପାନ୍ତ ଅଂଚଳ । ମାଲାମାଲ ଯନ୍ତ୍ରୀ ଓ ସରକାରୀ ଅଧିକାରୀ । ସବୁଠୁ ଅଧିକ ଦୁର୍ନୀତି ହେଉଛି ଗ୍ରାମୀଣ ଓ ଉପାନ୍ତ ଓଡ଼ିଶାରେ । ଯେଉଁଠି ଭିତିଭୂମି ପାଇଁ ଅଧିକ ଖର୍ଚ୍ଚ ହେଉଛି, ସେହିଠାରେ ହିଁ ଅଧିକ ପିସି ବା ଲାଂଚ କାରବାର ହେଉଛି । ତେଣୁ ନିର୍ଦ୍ଦିଷ୍ଟ ଅଂଚଳରେ ପୋଷ୍ଟିଂ ପାଇଁ ଲବି କରୁଛନ୍ତି ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଂଟ ଇଂଜିନିୟର କାର୍ତ୍ତିକେଶ୍ୱର ରାଉଳ, ସେହି ଗୋଟିଏ ସ୍ଥାନରେ ପ୍ରାୟ ୨୦ ବର୍ଷ ଧରି କାମ କରୁଥିଲେ ।

୧୯୯୫ରେ ଜେଇ ଭାବେ କାମ ଆରମ୍ଭ କରିଥିଲେ କୁବେର ଯନ୍ତ୍ରୀ କାର୍ତିକେଶ୍ୱର । ୨୦୦୦ ମସିହାରୁ ଭଞ୍ଜନଗର ଆସିଥିଲେ । ମଝିରେ ମାତ୍ର ୨ ବର୍ଷ ପାଇଁ ବାଲିଗୁଡ଼ା ଯାଇଥିଲେ । ପୁଣି ଭଂଜନଗର ଫେରିଥିଲେ, ପ୍ରମୋସନ୍ ପାଇବା ପରେ ବି ଭଂଜନଗର ଛାଡିନଥିଲେ ।

ପୂରା ଚାକିରି କାଳରେ କାର୍ତିକେଶ୍ୱର ଯେତିକି ଦରମା ପାଇଥିଲେ, ତା’ଠାରୁ ୭୦୦ ପ୍ରତିଶତ ସଂପତି ଠୁଳ କରିବାକୁ ସମର୍ଥ ହୋଇଥିଲେ । ସେହିପରି ସ୍ୱାଭିମାନ ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାଠାରୁ ଆରମ୍ଭ କରି ବିଜୁ ସଡକ ଯୋଜନା ଓ ସେତୁ ଯୋଜନାରେ ହେଉଥିବା କୋଟି କୋଟି ଟଙ୍କାର କାମରେ ପିସି କାରବାରର କାର୍ପଟଦାର ପାଲଟିଥିଲେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାଶ ।

ସରକାରୀ କାମରେ କିପରି ଲାଂଚ କାରବାର ହେଉଛି, ଏହି ଦୁଇ ଯନ୍ତ୍ରୀ କେବଳ ଗୋଟିଏ ଗୋଟିଏ ଉଦାହରଣ । ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଲାଂଚ କାରବାର ଯୋଗୁଁ କିପରି ନିମ୍ନମାନର କାମ ହୁଏ, ରାଜ୍ୟର ବିକାଶ ପାଇଁ ଭିତିଭୂମି ନିର୍ମାଣ ଅଧାପନ୍ତରିଆ ହୁଏ. ତା’ର ହିସାବ କାହା ପାଖରେ ନଥାଏ ।

ଆମେ ସମସ୍ତେ ଜାଣିଛନ୍ତି, ବିନା ପିସିରେ କୌଣସି ନିର୍ମାଣ କାର୍ଯ୍ୟର ଫାଇଲ୍ ଆଗକୁ ଗଡେନାହିଁ, କୌଣସି ବିଲ ପୈଠ ହୁଏ ନାହିଁ । ଏହି ଦୁର୍ନୀତି ଏତେ ବ୍ୟାପକ ହେଲାଣି, ତାହା ହିଁ ଚିନ୍ତାର କାରଣ ପାଲଟିଛି । ଭିଜିଲାନ୍ସ ରେଡ୍ କରି ଆୟ ବହିର୍ଭୁକ୍ତ ସଂପତି ଠାବ କରିଥାଏ, କିନ୍ତୁ ଲାଂଚ କାରବାର ଯୋଗୁଁ ନିର୍ମାଣ କାମ କିପରି ବାଧା ପାଏ, ତା’ର ଅଡିଟ୍ ହୁଏ ନାହିଁ ।