ପଶ୍ଚିମ ଓଡିଶାରେ କୃଷି ଉପକରଣ କିଣାରେ ବଡ ଦୁର୍ନୀତି : ନକଲି କାଗଜ ପତ୍ର ଓ ଜାଲ ଇଂଜିନ ନଂବର ଦେଇ ସାଢେ ୩ କୋଟି ଟଙ୍କା ହଡପ, ଅଭିଯୁକ୍ତ ଗିରଫ 

153

କନକ ବ୍ୟୁରୋ : ଖାଇଗଲେ ଚାଷୀଙ୍କ ସବସିଡି ଟଙ୍କା । କୃଷି ଉପକରଣ ନାଁରେ ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପୁରା ସାଢେ ୩ କୋଟି ସବସିଡି ଟଙ୍କାର ହଡପ ସାରା ରାଜ୍ୟରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏ ଘଟଣା ଖୋଦ ଚାଷୀଙ୍କ ଭାତହାଣ୍ଡି ଜିଲ୍ଲା କୁହାଯାଉଥିବା ବରଗଡ ଜିଲ୍ଲାରେ ଘଟିଛି । ଆଉ ଏହି ବଡ ଠକେଇର ପର୍ଦ୍ଦାଫାସ କରିଛି ପୋଲିସ ବିଭାଗର ଅର୍ଥନୈତିକ ଅପରାଧ ଶାଖା । ଗରିବ ଚାଷୀଙ୍କ ସରଳତାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ବା ଦଲାଲ ଚାଷୀଙ୍କ ସବସିଡ ଟଙ୍କାକୁ ଆତ୍ମସାତ କରିଛନ୍ତି ।

ବରଗଡରେ ଜାଲ କାଗଜପତ୍ର ଜରିଆରେ ତଳିରୁଆ ମେସିନ ବାବଦକୁ ଏଭଳି ଟଙ୍କା ଦୁଇଭାଇ ହଡପ କରିଛନ୍ତି । ପୋଲିସର ସଚୂନା ଅନୁସାରେ କେରଳ ତ୍ରିସୁରର ଏକ କଂପାନୀ ହେଉଛି ଲେଣ୍ଡ ଅଶ୍ଲୀନୀ ମୋଟର କଂପାନୀ । ଏହି କଂପାନୀ ଧାନ ଚାଷୀଙ୍କ ପାଇଁ ଉଦିଷ୍ଟ ତଳିରୁଆ ମେସିନ ନିର୍ମାଣ କରିଥାଏ । କୃଷି ବିଭାଗର ଅନୁମୋଦନ କ୍ରମେ ସମଗ୍ର ପଶ୍ଚିମ ଓଡିଶା ପାଇଁ ଏହି କମ୍ପାନୀର ଡିଲରସିପ ନେଇଛନ୍ତି ହରପାଲ ସିଂ । ହରପାଲ ଓ ତାଙ୍କ ଭାଇ କମଲଜିତ ଉଭୟ ଏହି କମ୍ପାନୀର ନକଲି କାଗଜପତ୍ର ଓ ଜାଲ ଇଞ୍ଜିନ ଏବଂ ଚେସିସ ନମ୍ବର ଦେଇ ବରଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲାର ପ୍ରାୟ ୨୭୮ ଜଣ ଚାଷୀଙ୍କୁ ତଳିରୁଆ ମେସିନ ବିକ୍ରି କରିଥିବା ଦର୍ଶାଇଛନ୍ତି ।

କେବଳ ସେତିକି ନୁହେଁ ରାଜ୍ୟ କୃଷି ବିଭାଗର ୱେବସାଇଟରେ କେତେକ ଚାଷୀଙ୍କ ଫଟୋ ସହ ତଥ୍ୟ ଅପଲୋଡ ମଧ୍ୟ କରିଛନ୍ତି ଦୁଇ ଭାଇ । ସବୁଠାରୁ ବଡ କଥା ହେଲା, ପ୍ରତ୍ୟେକ ଚାଷୀ ବ୍ୟାଙ୍କ ଆକାଂଉଟରେ ସବସିଡି ଅର୍ଥ ପଡିବା ମାତ୍ରେ ସେମାନଙ୍କୁ ମାତ୍ର ୫ରୁ ୧୦ ହଜାର ଟଙ୍କା ଲେଖାଁଏ ଦିଆଯାଇଛି । ପରବର୍ତୀ ସମୟରେ ଅବଶିଷ୍ଟ ଲକ୍ଷେରୁ ଦେଢଲକ୍ଷ ସବସିଡି ଟଙ୍କାକୁ କମଲଜିତ ଓ ହରପାଲଙ୍କ ଆକାଂଉଟକୁ ଟ୍ରାନସଫର କରାଯାଇଛି ।

ଏହି ଘଟଣା ପରେ ଉଭୟଙ୍କ ଫାର୍ମ ନାଁରେ ଥିବା ପ୍ରାୟ ୧ କୋଟି ୯୨ ଲକ୍ଷ ଟଙ୍କାକୁ ଅଚଳ କରି ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଛି । ୱେବସାଇଟର ଦୁରୁପଯୋଗ କରାଯାଇଥିବାରୁ ମାମଲା ବି ରୁଜୁ ହୋଇ । ଘଟଣାରେ କମଲଜିତ ଗିରଫ ହୋଇଛନ୍ତି । ତାଙ୍କ ଭାଇ ହରପାଲି ବି ଏଥିରେ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି ।