କୂଅ ଖୋଳି ଖାଇଗଲେ ପୁଳାପୁଳା ଟଙ୍କା । ସୁନ୍ଦରଗଡ କୁତ୍ରା ବ୍ଲକ୍ ଅଞ୍ଚଳରୁ ଆସିଲା କୂଅ ଖୋଳାରେ ଦୁର୍ନୀତି ଅଭିଯୋଗ । 

185

କନକ ବ୍ୟୁରୋ: ଜମିକୁ ପାଣି ଆଉ ଶ୍ରମିକଙ୍କୁ ରୋଜଗାର ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାରା ଦେଶରେ ଡଗ୍ ୱେଲ ବା କୂଅ ଖୋଳା କାମ ଚାଲିଛି । ଆଉ କରୋନା ମହାମରୀ ସମୟରେ ଗ୍ରାମାଞ୍ଚଳର ଲୋକଙ୍କୁ ଏହା ହିଁ ରୋଜଗାରର ଏକ ମାଧ୍ୟମ ପାଲଟିଛି । ତେବେ ଏହି ଯୋଜନାରେ ଚାଷୀ ଉପକୃତ ହେବ କଣ ଅସାଧୁ ଅଧିକାରୀ ଓ କର୍ମଚାରୀ  କୂଅ ଖୋଳା ନାଁରେ ସରକାରୀ ଟଙ୍କା ଆତ୍ମସାତ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତରୁ କୂଅ ଖୋଳାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଛି ।

ସୁନ୍ଦରଗଡ କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତ ବେଲଡିହି ଗାଁର ଚାଷୀ ଆନ୍ଥୋନୀ ଲାକ୍ରାଙ୍କ ବାଡିରେ କୂଅ ଖୋଳାଯାଇଛି । ୧୪ ଫୁଟର କୂଅ ଖୋଳିବାକୁ ୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ମନରେଗା ୱେବ ସାଇଟ୍ର ୱାର୍କ ଡିଟେଲସରେ ଦର୍ଶାଯାଇଛି । ସେପଟେ କୂଅ ଖୋଳା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ଏଷ୍ଟିମେଟ୍ କହୁଛି, ୧୦ ଫୁଟ୍ କୂଅ ଖୋଳିବାକୁ ୭୧ ହଜାର ଟଙ୍କା ଖର୍ଚ୍ଚ ହେବ । ଏସଟିମେଟ୍ ଓ ମନରେଗା ୱେବ ସାଇଟ୍ରେ ଥିବା ୱାର୍କ ଡିଟେଲସକୁ ଦେଖିଲେ ଜଣାପଡୁଛି ୧୪ ଫୁଟର କୂଅ ଖୋଳି ପ୍ରାୟ ୫୪ହଜାର ଟଙ୍କା ହଡପ କରାଯାଇଛି ।

ଆଉ ଜଣେ ଚାଷୀ ସୂର୍ଯ୍ୟ ସମାଦିଆଙ୍କର ବିଲରେ ୧୦ ଫୁଟର କୂଅ ଖୋଳିବାକୁ ୧ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଷ୍ଟିମେଟ୍ କହୁଛି ୧୦ ଫୁଟ କୂଅ ଖୋଳିଲେ ୩୫ ହଜାର ଟଙ୍କା ଖର୍ଚ୍ଚ ହେବ । ଏଠି ସିଧାସଳଖ ୭୭ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି ରାୟଡିହି ଗାଁର ବିପିନ ମାଝୀ ଜମିରେ ଖୋଳା ଯାଇଥିବା ପ୍ରଥମ କୂଅକୁ ପୋତି ରାତାରାତି ଆଉ ଏକ ସ୍ଥାନରେ କୂଅ ଖୋଳାଯାଇଛି । ୧୩ ଫୁଟ କୂଅ ଖୋଳିବାକୁ ୧ ଲକ୍ଷ ୨୫ହଜାର ୨୧୭ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏଷ୍ଟିମେଟ୍ ଅନୁସାରେ ୧୩ ଫୁଟ କୂଅ ଖୋଳିବାକୁ ୫୪ ହଜାର ଟଙ୍କା ଖର୍ଚ୍ଚ ହେବ । ଏଠି ପ୍ରାୟ ୭୦ ହଜାର ଟଙ୍କା ଚଳୁ କରିଦେଇଛନ୍ତି ବିଭାଗୀୟ ଅସାଧୁ ଅଧିକାରୀ ଓ କର୍ମଚାରୀ ।

କେବଳ ଏହି ୩ ହିତାଧିକାରୀ ନୁହନ୍ତି, ୩ ବର୍ଷରେ ୯୬ଟି କୂଅରୁ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ୨୦୧୮/୧୯ରେ ୧୪ ଜଣ, ୨୦୧୯/୨୦ରେ ୨୫ ଜଣ ଏବଂ ୨୦୨୦/୨୧ରେ ୫୪ ଜଣଙ୍କ ଜମିରେ କୂଅ ଖୋଳାଯାଇଛି । ଏଯାଏଁ କୌଣସି କୂଅ ସଂପୂର୍ଣ୍ଣ ହୋଇନାହିଁ ।