ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ଘର ବାବଦକୁ ଆକାଉଣ୍ଟରୁ ଉଠିଛି ଟଙ୍କା, ଜାଣି ନାହାନ୍ତି ହିତାଧିକାରୀ

160

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ହିତାଧିକାରୀଙ୍କ ନାଁରେ ଆବାସ ଯୋଜନାରେ ଘର ମିଳିଛି । ଘର ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠା ଯାଇଛି । ହେଲେ ଏକଥା ହିତାଧିକାରୀଙ୍କ ଜଣାନାହିଁ । ଏବେ ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ଧମକ ଦିଆଯାଉଛି, ଟଙ୍କା ନେଇ ଘର କାହିଁକି କରିନାହିଁ । ଯେତେ ଶୀଘ୍ର ପାରୁଛ ଘର କର ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଖବର ଆସିଛି ଜଗତସିଂହପୁର ଜିଲ୍ଲା ଗଡକୁଜଙ୍ଗ ପଂଚାୟତ ଭୂୟାଂପାଳ ଗାଁରୁ ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭୂୟାଂପାଳ ଗାଁର ପ୍ରଶାନ୍ତ ଦାସ, ଆବାସ ଯୋଜନରା ପକା ଘରଟିଏ ପାଇଁ ୨୦୧୬ରେ ଆବେଦନ କରିଥିଲେ । ନିଜସ୍ୱ ଜାଗା ନଥିବାରୁ ଘର ମଳିବ ନାହିଁ ସଫାସଫା ଶୁଣାଇ ଦେଇଥିଲେ ବ୍ଲକ ଅଧିକାରୀ । ହେଲେ ଏଇ କିଛି ଦିନ ତଳେ ଘର ସର୍ଭେ କରିବାକୁ ଆସି ଏରସମା ବ୍ଲକ ଅଧିକାରୀ ଯାହା କରିଛନ୍ତି ତାହା ପ୍ରଶାନ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଉ ଆବାସ ଯୋଜନାରେ ମହାଘୋଟାଲା ହୋଇଥିବା ସ୍ପଷ୍ଟ କରିଛି ।

ବ୍ଲକ ଅଧିକାରୀ କହିଛନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ପ୍ରଶାନ୍ତଙ୍କୁ ଘର ଦିଆଯାଇଛି । ୪ଟି କିସ୍ତିରେ ୧ ଲକ୍ଷ ୧୦ ହଜାର ଟଙ୍କା ଉଠିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକଥା ପ୍ରଶାନ୍ତଙ୍କୁ ଜଣାନାହିଁ । କେହି ଚଂଚକତା କରି ତାଙ୍କ ନାଁରେ ଟଙ୍କା ଉଠାଇ ନେଇଥିବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ।

ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟଣାକୁ ଘୋର ନିନ୍ଦା କରିବା ସହ ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେପଟେ ଏରସମା ବିଡିଓ କହିଛନ୍ତି ଗାଁରେ ଦୁଇ ଜଣ ପ୍ରଶାନ୍ତ ଦାସ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରକୃତ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଂଚ ଓ ଗ୍ରାମବାସୀ ।