ବରଗଡ଼ରେ ଫେଲ ମାରିଛି ବସୁଧା ଯୋଜନା । ଗାଁରେ ପାଣି ଟଙ୍କି ବସିଛି, ଟ୍ୟାପ୍ ଲଗିଛି, ହେଲେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି

83

କନକ ବ୍ୟୁରୋ : ବରଗଡ଼ରେ ଫେଲ ମାରିଛି ବସୁଧା ଯୋଜନା । ଆଗକୁ ଖରା ଦିନ ଆସୁଥିବା ବେଳେ ପାଣି ପାଇଁ ଚିନ୍ତାରେ ସ୍ଥାନୀୟବାସୀ । ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ମାଳମାଳ ଯୋଜନା । କିନ୍ତୁ ଯୋଜନାରେ ସୀମା ଟପିଲାଣି ଦୁର୍ନୀତି । ଯନ୍ତ୍ରୀ, ଅଧିକାରୀ, ଠିକାଦାର ମିଳିମିଶି କୋଟି କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ନକଲି ବିଲ୍ କରି ଅସଲି ଟଙ୍କା ଉଠୁଛି ତ ପୁଣି କେତେବେଳେ ପାଇପ ବିଛାଇ ପୁରା ପ୍ରକଳ୍ପର ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି ।

 ଏନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏନେଇ କିଛି କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । କେତେ ଗାଁକୁ ପାଣି ଯାଇଥିବା କଥା କହିଲେ କ୍ୟାମେରା ବନ୍ଦ କରିବାକୁ କହୁଛନ୍ତି । ବରଗଡ଼ ଜିଲ୍ଲାରେ ୨୦୧୯ରୁ ୨୦୨୧ ଭିତରେ ୧୧୦ଟି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ୧୧୦ଟି ପ୍ରକଳ୍ପରୁ କାଁ ଭାଁ ୨୦ରୁ ୩୦ଟି ପ୍ରକଳ୍ପ ଚାଲୁଥିବା ବେଳେ ବାକି ସବୁ ଫେଲ ମାରିଛି । ବସୁଧା ଯୋଜନାରେ ୧୦୭ କୋଟି ଟଙ୍କାର କାମ ହୋଇଥିଲେ ବି ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ମେଗା ଜଳ ଯୋଗାଣ ପ୍ରକଳ୍ପ ଓ ଜଳ ଜୀବନ ମିଶନ ଯୋଜନାରେ ହରିଲୁଟ୍ ହୋଇଥିବା ଅଭିଯୋଗ ।

ଅତାବିରା ବ୍ଲକ ରଙ୍ଗାଟିକ୍ରା ଗାଁରେ ଅଧପାନ୍ତରିଆ ଭାବେ ପଡ଼ିରହିଛି ପାଣି ଟାଙ୍କି । ଠିକାଦାର କେନାଲରୁ ପାଣି ଉଠାଇ ଗାଁରେ ଲାଗିଥିବା ଟ୍ୟାପରେ ଗୋଟିଏ ଦିନ ପାଣି ଯୋଗାଣ କରି ଛୁ ମାରିଛନ୍ତି । ଏତିକିରେ ସରିନି ଦୁର୍ନୀତି । ନିକଟରେ ଥିବା ଆଉ ଏକ ଗାଁରେ ସୋଲାର ବନ୍ଦ ଥିବାରୁ ବର୍ଷ ବର୍ଷ ହେଲା ପାଣି ଯୋଗାଣ ଠପ୍ ହୋଇଯାଇଛି । ସେହିପରି ପାହାଡ଼ସିଗଡ଼ା ଗାଁରେ ଟାଙ୍କି ଅଛି । ଗାଁ ସାରା ମାଳ ମାଳ ଟ୍ୟାପ୍ ଅଛି ହେଲେ ପାଣି ଆସୁନି ।