ମମତାଙ୍କ ବିଶ୍ୱସ୍ତ ଅଫିସର ରାଜୀବ କୁମାରଙ୍କୁ ବଡ ଝଟକା । ଗିରଫଦାରୀ ଉପରୁ ରୋକ ହଟାଇଲେ ସୁପ୍ରିମକୋର୍ଟ ।

861

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ୍ ତଥା ବିଶ୍ୱାସୀ ଅଫିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ରାଜୀବ କୁମାରଙ୍କ ଗିରଫ ରୋକିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଫେରାଇ ନେଇଛନ୍ତି ।

ହାଇକୋର୍ଟରୁ ଅଗ୍ରୀମ ଜାମିନ ପାଇଁ ରାଜୀବଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଯଦି ୭ ଦିନ ମଧ୍ୟରେ ରାଜୀବ କୁମାର ଅଗ୍ରୀମ ଜାମିନ ପାଇଁ ହାଇକୋର୍ଟରେ ହାଜିର ନ ହୁଅନ୍ତି କିମ୍ବା ତାଙ୍କୁ ଆଗୁଆ ଜାମିନ ନ ମିଳେ ତେବେ ସିବିଆଇ ତାଙ୍କୁ ଗରିଫ କରିପାରିବ । ଏହାପୂର୍ବରୁ ଚିଟଫଣ୍ଡ କେସରେ ରାଜୀବ କୁମାରଙ୍କୁ ପଚରାଉଚରା ପାଇଁ ସିବିଆଇ ଅଧିକାରୀ ପହଞ୍ଚିଥିବା ବେଳେ କୋଲକାତା ପୋଲିସ ଏଥିରେ ବାଧା ଦେଇଥିଲା । ଏପରିକି ସିବିଆଇ ଅଧିକାରୀଙ୍କୁ ନିଜ ହେପାଜତକୁ ନେଇଥିଲା କୋଲକାତା ପୋଲିସ । ଏହାପରେ ରାଜୀବ କୁମାର ଗିରଫରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ ।

ଚିଟଫଣ୍ଡ କେସରେ ଛନ୍ଦି ହୋଇଥିବା ରାଜୀବ କୁମାରଙ୍କ ନାଁରେ ଏଯାଏଁ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇନାହିଁ । କିନ୍ତୁ ସୁପ୍ରିମକୋର୍ଟ ରାଜୀବଙ୍କ ଗିରଫଦାରୀ ରୋକ ଉଠାଇବା ପରେ ଏବେ ସିବିଆଇ ରାଜୀବଙ୍କ ନାଁରେ ଏଫଆଇଆର ଦାୟର କରିବା ସହ ପଚରାଉଚରା ପାଇଁ ନୋଟିସ କରିପାରେ । ଏସବୁ ଭିତରେ ରାଜୀବ ଆଗୁଆ ଜାମିନ ପାଇଁ କୋଲକାତା ହାଇକୋର୍ଟରେ ଆବେଦନ କରିବାକୁ ନିଷ୍ପତି ନେଇଛନ୍ତି । ରାଜୀବଙ୍କ ଓକିଲ କହିଛନ୍ତି, ଯଦି ସିବିଆଇ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରେ ତେବେ ଏହାକୁ ରଦ୍ଦ କରିବାକୁ ହାଇକୋର୍ଟରେ ପିଟିସନ ଦାଖଲ କରାଯିବ ।

ଏହାପୂର୍ବରୁ କୋଲକାତା ପୁଲିସ କମିଶନର ଥିବା ରାଜୀବ କୁମାରଙ୍କ ଶାରଦା ଚିଟଫଣ୍ଡ ସହ ଲିଙ୍କ୍ ଥିବା ନେଇ ସିବିଆଇ ପକ୍ଷରୁ ତାଙ୍କ ଘରେ ଚଢାଉ କରିବାକୁ ପ୍ରୟାସ କରାଯାଇଥିଲା । ସେତେବେଳେ ସିବିଆଇର ଏଭଳି କାର୍ଯ୍ୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ । ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ରାଜୀବଙ୍କ ଗିରଫଦାରୀ ଉପରେ ରୋକ ଲାଗିଥିଲା । କିନ୍ତୁ ରାଜୀବଙ୍କୁ ପୋଲିସ କମିଶନର ପଦରୁ ହଟାଇ ସିଆଇଡିରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ନିର୍ବାଚନ କମିଶନ ତାଙ୍କୁ ସିଆଇଡି ପଦରୁ ହଟାଇ ଗୃହ ମନ୍ତ୍ରାଳୟରେ ନିଯୁକ୍ତି ଦେଇଥିଲେ ।