କନକ ବ୍ୟୁରୋ: ଉଚ୍ଚ ଜାତିର କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଏହି କୋଟା ବ୍ୟବସ୍ଥା ୧୦୩ ତମ ସମ୍ବିଧାନର ମୌଳିକ ଢାଞ୍ଚା ଉଲ୍ଲଂଘନ କରୁନାହିଁ । ତେବେ ୫ ଜଣ ବିଚାରପତିଙ୍କ ମଧ୍ୟରୁ ୩ଜଣ ସଂରକ୍ଷଣ ସପକ୍ଷରେ ମତ ଦେଇଥିଲାବେଳେ ୨ଜଣ ବିପକ୍ଷରେ ମତ ଦେଇଥିଲେ । ଆଉ ୩-୨ ଆଧାରରେ ସପକ୍ଷରେ ଦେଇଥିବା ରାୟ କାଏମ ରହିଛି ।
- ଉଚ୍ଚ ଜାତିର ଗରିବଙ୍କୁ ୧୦% କୋଟା କାଏମ
- ସମ୍ବିଧାନର ଉଲ୍ଲଂଘନ ହେଉନି କହିଲେ ସୁପ୍ରିମକୋର୍ଟ
ଉଚ୍ଚ ଜାତି ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିଲେ କେନ୍ଦ୍ର ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ କରିବାକୁ ଯାଇ ୧୦ ପ୍ରତିଶତ ସଂରକ୍ଷଣ ବା କୋଟା ଦେଇଥିଲେ । କିନ୍ତୁ ଏପରି ନିୟମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ଆବେଦନ । ସରକାର ଏପରି ବ୍ୟବସ୍ଥା କରି ସମ୍ବିଧାନର ମୂଳ ବିଚାରଧାରାକୁ ଉଲ୍ଲଂଘନ କରୁଥିବା କହି କୋର୍ଟରେ ଦାୟର ହୋଇଥିଲା ଆବେଦନ । କାରଣ କୋଟା ବ୍ୟବସ୍ଥା ଜାତିକୁ ନେଇ ତିଆରି ହୋଇଥିଲା । କିନ୍ତୁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସଂରକ୍ଷଣ ଦେବା ବେଳେ ଏହାକୁ ଉଲ୍ଲଂଘନ କରାଯାଇଛି ।
- ୫ ଜଣିଆ ଖଣ୍ଡପୀଠରେ ଶୁଣାଣି
- ୩-୨ରେ ନିୟମ ସପକ୍ଷରେ ରାୟ
ପ୍ରଧାନ ବିଚାରପତି ୟୁୟୁ ଲଳିତ, ଜଷ୍ଟିସ ଜେବି ପାରଦିୱାଲା, ଜଷ୍ଟିସ ବେଲା ତ୍ରିବେଦୀ, ଜଷ୍ଟିସ ମାହେଶ୍ୱରୀ, ଜଷ୍ଟିସ ରବୀନ୍ଦ୍ର ଭଟ୍ଟ । ସୁପ୍ରିମକୋର୍ଟରେ ଆଜି ଏହି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଯେଉଁଥିରେ ୩ ବିଚାରପତି ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦% କୋଟା ମିଳିବ ବୋଲି ଯୁକ୍ତି ବାଢିଥିଲେ ବାକି ୨ ଜଣ ବିରୋଧ କରିଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ଆଧାରରେ ୧୦ ପ୍ରତିଶତ କୋଟାକୁ କାଏମ ରଖିଛନ୍ତି ଖଣ୍ଡପୀଠ ।
ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ କୋଟା ବିରୋଧରେ ରାୟ ଶୁଣାଇଥିଲେ । ସେ କହିଥିଲେ ସମ୍ବିଧାନର ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ରହିଛି । ଯେଉଁଥିରେ ଏସସି, ଏସଟି ଏବଂ ଓବିସି ବର୍ଗ ରହିଛନ୍ତି । ଏବେ ଆଉ ୧୦ ପ୍ରତିଶତ କୋଟା ଦେବା ସମ୍ବିଧାନର ଉଲ୍ଲଂଘନ । ତେଣୁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ଠିକ୍ ନୁହେଁ । ଏହା ଭେଦଭାବ ତିଆରି କରୁଛି । ପ୍ରଧାନ ବିଚାରପତି ଏହାକୁ ସମର୍ଥନ କରିଛନ୍ତି । ତେବେ ଜଷ୍ଟିସ ଜେବି ପାର୍ଦିୱାଲା, ଜଷ୍ଟିସ ତ୍ରିବେଦୀ, ଜଷ୍ଟିସ ମାହେଶ୍ୱରୀ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ କୋଟା ସପକ୍ଷରେ ରାୟ ଦେଇଥିଲେ ।
ଏହି କୋଟା ବ୍ୟବସ୍ଥା ୧୦୩ ତମ ସମ୍ବିଧାନର ମୌଳିକ ଢାଞ୍ଚା ଉଲ୍ଲଂଘନ କରୁନାହିଁ ବୋଲି ଜଷ୍ଟିସ ମାହେଶ୍ୱରୀ । ଜଷ୍ଟିସ ତ୍ରିବେଦୀ କହିଥିଲେ ଏହା ମୂଳ ବିଚାରଧାରାକୁ ବିରୋଧ କରୁଛି କହି ରଦ୍ଦ କରିବା ଠିକ୍ ନୁହେଁ । ବରଂ ସଂରକ୍ଷଣ ନୀତି ପୁନଃ ସମୀକ୍ଷା କରାଯିବା ଆବଶ୍ୟକ ଏବଂ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମା ରଖାଯିବା ଆବଶ୍ୟକ । ଜଷ୍ଟିସ ମାହେଶ୍ୱରୀ କହିଛନ୍ତି, କୋଟା ବ୍ୟବସ୍ଥା ଦୀର୍ଘ ସମୟ ପାଇଁ ଲାଗୁ ହେବା ଠିକ୍ ନୁହଁ ନହେଲେ ଏହା ବ୍ୟକ୍ତିଗତ ସ୍ୱାର୍ଥରେ ପରିଣତ ହେଉଛି । ତେଣୁ ଏଥିପାଇଁ ଏକ ସମୟସୀମା ରହିବା ଜରୁରୀ ।
ସମ୍ବିଧାନର ୧୦୩ରେ ସଂଶୋଧନ କରି ମୋଦୀ ସରକାର ୨୦୧୯ ପୂର୍ବରୁ ଏହି କୋଟା ବ୍ୟବସ୍ଥା ଆଣିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ଦୀର୍ଘ ଦିନ ଧରି ଏହାକୁ ନେଇ ଶୁଣାଣି ପରେ ସୋମବାର ରାୟ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/OTS-2-1.png)