ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ୨୮ ନଭେମ୍ବରରେ ଚିଦାମ୍ବରମଙ୍କ ଦ୍ବାରା ଦାୟର କରାଯାଇଥିବା ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

Advertisment

publive-image

ସୂଚନାଯୋଗ୍ୟ, ସିବିଆଇ ଦ୍ଵାରା ଚିଦାମ୍ବରମଙ୍କ ଉପରେ ରୁଜୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି। କିନ୍ତୁ ଇଡି ଦ୍ଵାରା ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଛି । ଯଦି ଚିଦାମ୍ବରମଙ୍କୁ ଇଡି କେସରେ ଜାମିନ ମିଳେ ତାହାଲେ ସେ ଜେଲରୁ ମୁକ୍ତ ହୋଇପାରିବେ । ଏହାପୂର୍ବରୁ ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ। ୧୫ ନଭେମ୍ବରରେ ରାୟ ପ୍ରକାଶ କରି ଦିଲ୍ଲୀ ହାଇକୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିନଥିଲେ। ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୀର୍ଷ ଅଦାଲତରେ ଆବେଦନ କରି କହିଥିଲେ ୭୪ ବର୍ଷୀୟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପୁଲିସ ହେପାଜତରେ ରଖି ମଧ୍ୟ ମାମଲାର ବହୁ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କ ଉପରେ ପ୍ରଭାବ ପକାଉଛନ୍ତି। ଇଡିର ଏହି ଅଭିଯୋଗରେ ଚିଦାମ୍ବରମ କହିଥିଲେ ଏପରି ଅର୍ଥହୀନ ଅଭିଯୋଗ କରି ତାଙ୍କ ଭବିଷ୍ୟତ ଓ ପ୍ରତିଷ୍ଠା ନଷ୍ଟ କରିବାର ଯେଉଁ ପ୍ରୟାସ କରାଯାଉଛି ସେଥିରେ କେହି ସଫଳ ହେବେନାହିଁ। ଚିଦାମ୍ବରମଙ୍କୁ ପ୍ରଥମ ଥର ୨୧ ଅଗଷ୍ଟରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ଏହି ଘଟଣାରେ ଜଡ଼ିତ ଚିଦାମ୍ବରମଙ୍କୁ ଜେଲରେ ରହିବାର ପାଖାପାଖି ୧୦୦ ରୁ ଅଧିକ ଦିନ ହୋଇସାରିଲାଣି ।