ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର’ ନେଇ ‘ମହା’ ରାୟ । ଆସନ୍ତାକାଲି ଯାଏଁ ଟଳିଲା ଶୁଣାଣି । ସବୁ ପକ୍ଷକୁ ନୋଟିସ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ

କେନ୍ଦ୍ରକୁ ମାଗିଲେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଓ ବିଧାୟକଙ୍କ ସମର୍ଥନ ପତ୍ର

337

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରକୁ ନେଇ ମହା ଶୁଣାଣି । ଆସନ୍ତାକାଲି ଯାଏଁ ଟଳିଲା ଶୁଣାଣି । ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟରେ ଏହାର ପରବର୍ତି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ମାମଲାରେ ସମସ୍ତ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେବେନ୍ଦ୍ର ଫଡନବିସ, ଅଜିତ୍ ପାୱାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ହୋଇଛି । ରାଜ୍ୟପାଳଙ୍କ ଆଦେଶପତ୍ର ଏବଂ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ସକାଳ ସାଢେ ୧୦ଟା ମଧ୍ୟରେ ଏହା ଦାଖଲ କରିବାକୁ ହେବ । ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ଠାରୁ ପ୍ରାୟ ଗୋଟିଏ ଦିନ ସମୟ ମିଳିବା ବିଜେପି ପାଇଁ ବଡ ଆଶ୍ୱସ୍ତିର ଖବର ହେବ ବୋଲି କୁହାଯାଉଛି ।

ଆଜି ବିଜେପି ପକ୍ଷରୁ ମୁକୁଲ ରେହତୋଗୀ ଏବଂ ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ପକ୍ଷ ରଖିଥିଲେ କପିଲ ସିବଲ ଏବଂ ଅଭିଷେକ ମନୁସଂଘଭି । ପ୍ରଥମେ ହାଇକୋର୍ଟକୁ ଯିବା ବଦଳରେ ସିଧା ସୁପ୍ରିମକୋର୍ଟକୁ ଆସିବା ନେଇ ଯୁକ୍ତି ବାଢିଛନ୍ତି ମୁକୁଲ ରେହତୋଗୀ । ସଂବିଧାନର ଧାରା ୩୨ ଅନୁସାରେ କୌଣସି ରାଜନୈତିକ ଦଳର ଅଧିକାର ନାହିଁ ସୁପ୍ରିମକୋର୍ଟକୁ ଏ ସଂପର୍କରେ ଯାଚିକା ନେଇ ଆସିବ । ଏହା କେବଳ କୌଣସି ବ୍ୟକ୍ତିକୁ ମିଳିଥାଏ । ଏହା ସହିତ କର୍ଣ୍ଣାଟକ ଢାଂଚାରେ ସିଧାସଳଖ କୋର୍ଟକୁ ଆସିବା ଅଯୌକ୍ତିକ ବୋଲି ଯୁକ୍ତି ବାଢିଥିଲେ ମୁକୁଲ ରେହତୋଗୀ । ତେବେ ଶୁଣାଣି ଆରମ୍ଭ ହୋଇସାରିଥିବାରୁ ଏହାର କୌଣସି ମୂଲ୍ୟ ନଥିବା କହିଥିଲେ ସର୍ବୋଚ୍ଚ ଅଦାଲତ । ସେପଟେ ଏନସିପି, କଂଗ୍ରେସ ଏବଂ ଶିବସେନା ପକ୍ଷରୁ ବରିଷ୍ଠ ଓକିଲ କପିଲ୍ ସିବଲ ପକ୍ଷ ରଖିବା ସହିତ ରାଜ୍ୟପାଳ ଅଂସାବିଧାନିକ ଭାବେ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ବିଜେପି କହିଛି ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅନୁସାରେ ସମସ୍ତ ଦସ୍ତାବିଜ୍ ଦାଖଲ କରିବ ଦଳ ।

ସେପଟେ, ବିଜେପି ପାଇଁ ଏବେ ବଡ ଚ୍ୟାଲେଂଜ ହେବ ମହାରାଷ୍ଟ୍ରରେ ବହୁମତ ପ୍ରମାଣ କରିବା । ଅଜିତ୍ ପାୱାରଙ୍କୁ ନେଇ ସରକାର ଗଠନ କରିବା ପରେ ଏନସିପି ଠାରୁ ଯେଉଁ ବିଧାୟକଙ୍କ ସଂଖ୍ୟା ସମର୍ଥନ ଆଶା ଥିଲା ତାହା ଏବେ ଧୀରେ ଧୀରେ ମଉଳିବାରେ ଲାଗିଛି । ସେପଟେ ଶରଦ ପାୱାରଙ୍କ ଘରେ ନେତାଙ୍କ ଭିଡ ଲାଗିଲାଣି । କିଛି ବିଜେପି ନେତା ଶରଦ ପାୱାରଙ୍କ ଘରକୁ ସକାଳେ ଆସି ଭେଟିଥିବା କୁହାଯାଉଛି । ସେପଟେ ଏନସିପିରୁ ଅଲଗା ହୋଇ ବିଜେପିକୁ ସମର୍ଥନ ଦେଇଥିବା ଅଜିତ୍ ପାୱାରଙ୍କୁ କିପରି ଦଳକୁ ଫେରାଇ ଅଣାଯାଇ ପାରିବ , ସେ ନେଇ ରଣନୀତି ତିଆରି କରୁଛି ଏନସିପି । ଏହା ମଧ୍ୟରେ ଅଜିତ୍ ପାୱାରଙ୍କୁ ଭେଟିବାକୁ ନିଜେ ଜୟନ୍ତ ପାଟିଲ ଯିବେ ବୋଲି ସୂଚନା ମିଳିଛି । ସେପଟେ ଏନସିପି ନେତା ନବାବ ମଲ୍ଲିକ କହିଛନ୍ତି ଅଜିତ୍ ପାୱାର ଏକ ବଡ ଭୁଲ୍ କରିଛନ୍ତି । ତାଙ୍କ ତ୍ରୁଟିକୁ ଛାଡି କିପରି ଅଜିତ୍ ପାୱାରଙ୍କ ସହ ସାଥୀରେ ଥିବା ବିଧାୟକଙ୍କ ୁଫେରାଇ ଅଣାଯିବ ସେ ନେଇ ଯୋଜନା ଚଳାଇଛି ଏନସିପି ।