ଧନବାଦରେ ଜଜଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲା । ନିଜ ତରଫରୁ ଅଭିଯୋଗ ଦାଖଲ କଲେ ସୁପ୍ରିମକୋର୍ଟ । ଡିଜିପିଙ୍କୁ ମାଗିଲେ ରିପୋର୍ଟ

36

କନକ ବ୍ୟୁରୋ : ଝାଡଖଣ୍ଡ ଧନବାଦ ଠାରେ ଜଣେ ବିଚାରପତିଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ନିଜ ତରଫରୁ ଅଭିଯୋଗ ଦାଖଲ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏନ.ବି ରମନ୍ନା ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ମାମଲାରେ ଝାଡଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ୧ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ସାରା ଦେଶରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଅନେକ ଆକ୍ରମଣ ହୋଇଛି , ସେମାନଙ୍କ ସୁରକ୍ଷା ନେଇ ବ୍ୟାପକ ବିଷୟ ଉପରେ ଶୁଣାଣି କରାଯିବ ।

ସୂଚନା ଥାଉକି ଧନବାଦ ଜିଲ୍ଲାର ଅତିରିକ୍ତ ଜିଲ୍ଲା ବିଚାରପତି (ଏଡିଜେ) ଆନନ୍ଦ ଉତ୍ତମ ବୁଧବାର ଦିନ ସକାଳେ ପ୍ରାତଭ୍ରମଣରେ ଯାଉଥିବା ବେଳେ ଏକ ଅଟୋ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଗୋଟିଏ ଅଟୋ ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିବା ଦେଖା ଯାଇଥିଲା ।

ଏହି ମାମଲାରେ ଅଟୋ ଚାଳକ ଲଖନ ବର୍ମା ଓ ତାଙ୍କ ସହଯୋଗୀ ରାହୁଲ ବର୍ମା ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଜେରା ବେଳେ ଅଟୋ ଚାଳକ ସ୍ୱୀକାର କରିଛି କି ସେ ଜଜଙ୍କୁ ଧକ୍କା ଦେଇଥିଲା । ଏହାସହ ଗିରିଡିହ ଜିଲ୍ଲାରୁ ଅଟୋଟିକୁ ପୋଲିସ ସିଜ୍ କରିଛି । ଅନ୍ୟପଟେ ଯାଂଚ ବେଳେ ଏକ ରୂଚକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଜଜଙ୍କୁ ଧକ୍କା ଦେଇଥିବା ଅଟୋଟି ମଙ୍ଗଳବାର ଦିନ ଅଟୋଟି ଚୋରି ହୋଇଥିଲା ଓ ବୁଧବାର ଦିନ ସକାଳ ୫.୩୦ ରେ ସେହି ଅଟୋଟି ଜଜଙ୍କୁ ଧକ୍କା ଦେଇଥିଲା ।

କୁହାଯାଉଛି କି ଜେଲରେ ଥିବା କିଛି ଗ୍ୟାଙ୍ଗଷ୍ଟାରଙ୍କୁ ଜାମିନ ନଦେବା କାରଣରୁ ସୁନିୟୋଜିତ ଭାବେ ଜଜଙ୍କୁ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା ଜାରି ରଖିଛି ।