କନକ ବ୍ୟୁରୋ : ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ପେଗାସସ ସଫ୍ଟୱେୟାର ଜରିଆରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରିବାକୁ ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ୨ ଜଣିଆ ତଦନ୍ତ କମିଶନ ଗଠନ କରିଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣି କରି ତଦନ୍ତ କମିଶନଙ୍କ ଉପରେ ରୋକ୍ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି ତଦନ୍ତ କମିଶନଙ୍କୁ ନୋଟିସ କରି ଗ୍ଲୋବାଲ ଭିଲେଜ ଫାଉଣ୍ଡେସନ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ।

Advertisment

ସଂପୃକ୍ତ ଏନଜିଓ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ଅଭିଷେକ ମନୁ ସିଂଘଭି । ସୁପ୍ରିମକୋର୍ଟ ଏହି ମାମଲାରେ ନିଜଆଡୁ ତଦନ୍ତ କରୁଛନ୍ତି । ଏଥିପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଆରଭି ରବୀନ୍ଦ୍ରନଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କ ନେତୃତ୍ୱରେ ଟେକ୍ନିକାଲ ଏକ୍ସପର୍ଟ କମିଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏପରି ସ୍ଥିତିରେ କୌଣସି ପ୍ରକାର ପଦକ୍ଷେପ ନନେବାକୁ ସୁପ୍ରିମକୋର୍ଟ ଅଗଷ୍ଟ ୨୫ରେ ନିେର୍ଦ୍ଦେଶ ଦେଇଥିଲେ । ତଥାପି କାହିଁକି ଜଷ୍ଟିସ ଲୋକୁର କମିଶନ ଗଠନ କରାଗଲା ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହାର ଜବାବରେ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ, ଲୋକୁର କମିଶନ ଏକ ସାମ୍ବିଧାନିକ ପୀଠ ହୋଇଥିବାରୁ ସରକାର ତାଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହାପରେ ସୁପ୍ରିମକୋର୍ଟ ଜଷ୍ଟିସ ଲୋକୁର କମିଶନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।