ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ

Advertisment
ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ

କନକ ବ୍ୟୁରୋ : ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ସେହିପରି ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

publive-image

ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ଜୀବନ, କଳା ଓ ସଂସ୍କୃତିର ପ୍ରସାର ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି।

publive-image

ଭୁବନେଶ୍ୱର ସିଆରପିଏଫ ଛକ ନିକଟରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଶନିବାର ଦିନ ଏହାର ଉଦଯାପନୀ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା (ସ୍ୱତନ୍ତ୍ର କାର୍ଯ୍ୟକ୍ରମ) ଆର୍ ବାଲାକ୍ରିଷ୍ଣନ ଜନଜାତି ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୫ ଜଣ ଯୁବ ଆଦିବାସୀ ଶିଳ୍ପୀ ଏକ ତିନିଦିନିଆ କର୍ମଶାଳା ଅବସରରେ କରିଥିବା ବିଭିନ୍ନ କୃତିକୁ ଦେଖି ସେ ପ୍ରଶଂସା କରିଥିଲେ।

publive-image

‘‘ଆଦିବାସୀ ସଂସ୍କୃତି ଓ କଳା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୁଁ ସବୁବେଳେ ଆଗ୍ରହୀ। ରାଜ୍ୟ ଜନଜାତି ସଂଗ୍ରହାଳୟରେ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ମତେ ବେଶ୍ ଛୁଇଁଛି। ଏହି ଛବିଗୁଡ଼ିକ ଭିତରେ ଆଦିବାସୀଙ୍କ ଜୀବନଯାପନ, ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତି ବିଭବ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ଓଡ଼ିଶାର ଅନନ୍ୟ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏଭଳି ପଦକ୍ଷେପ କାମରେ ଆସିବ’’, କହିଥିଲେ ଆର୍ ବାଲାକ୍ରିଷ୍ଣନ୍।

publive-image

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୂପା ରୋଶନ ସାହୁ ଯୋଗଦେଇ ଜନଜାତି ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ରେ ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ଏବଂ ଅଧ୍ୟାପକ ମାନସ ରଞ୍ଜନ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସର ସହଯୋଗକ୍ରମେ ଏହି ଜନଜାତି ଚିତ୍ରକଳା କର୍ମଶାଳା ତଥା ପ୍ରଦର୍ଶନୀର ଆୟୋଜନ କରାଯାଇଛି।

ଏହି ଅବସରରର ଜନଜାତି ଯୁବ ଚିତ୍ରଶିଳ୍ପୀମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ପ୍ରଦର୍ଶନୀ ନଭେମ୍ବର ୨୧ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଖୋଲା ରହିବ।

ଭାରତ ସରକାରଙ୍କ ଜନଜାତୀୟ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଜନଜାତୀୟ ଗୌରବ ଦିବସ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।

publive-image

ଏହି ଅବସରରେ ପ୍ରତିଦିନ ସଂଗ୍ରହାଳୟ ପରିସରରେ ଓଡ଼ିଶାର ଆଦିବାସୀ ଶିଳ୍ପୀଙ୍କୁ ନେଇ ବୟନକଳା, ହସ୍ତଶିଳ୍ପ, ଓ କଳାକୃତିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଉଛି। ଆସନ୍ତା ୨୨ ଓ ୨୩ ତାରିଖରେ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୪୦ ଜଣ ଆଦିବାସୀ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିବେ।

ଶନିବାର କାର୍ଯ୍ୟକ୍ରମକୁ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୁତିଆ ପରିଚାଳନା କରିଥିଲେ। କାର୍ୟ୍ୟକ୍ରମରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କ ସହିତ ବିଭିନ୍ନ ଅଧିକାରୀ ତଥା ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe