ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ ହସ୍ତକ୍ଷେପ । 

250

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ଯାଏଁ ଆଲୋଚନାରୁ କୌଣସି ବାଟ ବାହାରି ପାରିଲା ନାହିଁ ଏବଂ ପରିସ୍ଥିତି ଧିରେ ଧିରେ ବିଗିଡିବାରେ ମଧ୍ୟ ଲାଗିଛି । ତେଣୁ ସରକାର କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରନ୍ତୁ ଏବଂ ସମାଧାନର ବାଟ ବାହାର କରନ୍ତୁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଆଇନ୍ ସମ୍ବିଧାନ ବିରୋଧୀ ନହେଲେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିପାରିବେ ନାହିଁ ।

‘କୃଷି ଆଇନ ସ୍ଥଗିତ ରଖ, ନଚେତ ଆମେ ହସ୍ତକ୍ଷେପ କରିବୁ’ । କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ । ୪୭ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ନୂଆ ମୋଡ ଆସିଛି । ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନଚେତ ନିଜେ ସୁପ୍ରିମକୋର୍ଟ ଏହି କାମ କରିବେ । ଏଥିରେ ପ୍ରତିଷ୍ଠାର ପ୍ରଶ୍ନ କାହିଁକି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ କେନ୍ଦ୍ର ସରକାରଙ୍କ ସମସ୍ୟା ସମାଧାନର ଉଦ୍ୟମରେ ସେମାନେ ନିରାଶ ହୋଇଛନ୍ତି ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ ଚାଷୀ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ବେଶ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଇନକୁ ସ୍ଥଗିତ ରଖିବା ପାଇଁ ପ୍ରଶ୍ନ କରିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଅଡୁଆ ସୃଷ୍ଟି କରିଛି । ଆନ୍ଦୋଳନ ସ୍ଥଗିତ ରଖି ଏକ କମିଟି ଗଠନ କରି ସମାଧାନର ରାସ୍ତା ବାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଥିଲେ, ଆଇନ ରଦ୍ଦ ପାଇଁ ଖଣ୍ଡପୀଠ କହୁନାହାନ୍ତି । ସୌହର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ କିଛି ଦିନ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କୁହାଯାଉଛି । ଏବେ ନଜର ପକାନ୍ତୁ ସୁପ୍ରିମକୋର୍ଟଙ୍କ ୫ ବଡ ଟିପ୍ପଣୀ ଉପରେ,

୧ ସରକାର ନୂଆ କୃଷି ଆଇନକୁ ସ୍ଥଗିତ ନରଖିଲେ, ସୁପ୍ରିମକୋର୍ଟ କୃଷି ଆଇନକୁ ସ୍ଥଗିତ ରଖିବ ।

୨- କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ଆଭିମୁଖ୍ୟ ନିରାଶ ଜନକ । ସରକାର କହୁଛନ୍ତି ଆଲୋଚନା ଚାଲିଛି, ମାସଧିକ କାଳ ଆଲୋଚନା ପରେ କାହିଁକି ସମାଧାନ ବାହାରିନି

୩- ନୂଆ କୃଷି ଆଇନକୁ କାହିଁକି ସ୍ଥଗିତ ରଖାଯାଇ ପାରିବ ନାହିଁ । କାରଣ ପ୍ରତିଦିନ ବିକ୍ଷୋଭସ୍ଥଳରେ ସ୍ଥିତି ବିଗୁଡିଛି, ଚାଷୀ ଆତ୍ମହତ୍ୟା କରୁଛନ୍ତି, ବୃଦ୍ଧ ଓ ମହିଳା ଆନ୍ଦୋଳନରେ ସାମିଲ ହେଲେଣି ।

୪- ଚିଫ୍ ଜଷ୍ଟିସ କହିଛନ୍ତି, ବିରୋଧ ପ୍ରଦର୍ଶନ ହୋଇପାରିବ, ହେଲେ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଛି ।

୫- ବିକ୍ଷୋଭସ୍ଥଳରେ ହିଂସାକାଣ୍ଡ କିମ୍ବା ରକ୍ତପାତ ନହେବା ପାଇଁ ପଦକ୍ଷେପ ନିଆଯିବା ଉଚିତ । ଜାଣତରେ ହେଉ ବା ଅଜାଣତରେ ହେଉ କିଛି ଘଟିଗଲେ ସମସ୍ତେ ଦାୟୀ ହେବେ । ଯେକୌଣସି ମୂହୂର୍ତ୍ତରେ ଛୋଟ ଭୁଲଟିଏ ବଡ ହିଂସାକାଣ୍ଡ ଘଟାଇପାରେ ।

ସେପଟେ ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ ଆଇନକୁ ସ୍ଥଗିତ ରଖିବା ପ୍ରସ୍ତାବକୁ ବିରୋଧ କରି କହିଛନ୍ତି, ଆଇନ, ସମ୍ବିଧାନ ଓ ମୌଳିକ ଅଧିକାର ବିରୋଧୀ ପ୍ରମାଣିତ ନହେବା ଯାଏଁ ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ପାରିବେ ନାହିଁ ।

କୃଷକ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଦୂର କରିବା ପାଇଁ ସରକାର ଓ କୃଷକଙ୍କ ମଧ୍ୟରେ ୮ଥର ଆଲୋଚନା ହୋଇଥିଲେ ବି ସମାଧାନ ହୋଇପାରି ନାହିଁ । ସେପଟେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ଆନ୍ଦୋଳନକାରୀ କୃଷକ ପରେଡ ବାହାର କରି ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।