ଓଟିଟି ପ୍ଲାଟଫର୍ମ ନେଇ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା କଥା । କହିଲେ, ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ।

192

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ କଠୋର ଆଇନ ଲାଗୁ ନେଇ ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ବେଂଚ କହିଛନ୍ତି ଯେ, ଓଟିଟିକୁ ନେଇ କେନ୍ଦ୍ର ଆଣିଥିବା ନିୟମାବଳୀ ପ୍ରଭାବଶୂନ୍ୟ, ଏହା କେବଳ ଏକ ନିର୍ଦ୍ଦେଶନାମା ଲାଗିଛି ।

ଏହାପୂର୍ବରୁ ଗତକାଲି ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତା ରହିଥିବା କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଓଟିଟି ସମ୍ପର୍କିତ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, କିଛି କଟକଣା ଆବଶ୍ୟକ, କାରଣ ଏସବୁ ପ୍ଲାଟଫର୍ମ ଉପରେ ବେଳେ ବେଳେ ଅଶ୍ଳୀଳ ଭିଡିଓ ଚଲାଯାଉଥିବାର ନଜିର ଆସିଛି । ତେଣୁ ସନ୍ତୁଳନ ରକ୍ଷା ପାଇଁ କିଛି କଟକଣା ଆବଶ୍ୟକ ଥିବା କୋର୍ଟ କହିଛନ୍ତି । ଏନେଇ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ଆମାଜନ ପ୍ରାଇମ ଭିଡିଓର କମର୍ସିଆଲ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ପୂର୍ବରୁ ଅପର୍ଣ୍ଣାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । “ତାଣ୍ଡବ’ ୱେବ ସିରିଜକୁ ନେଇ ନିକଟରେ ବିବାଦ ଦେଖାଦେଇଥିଲା । ଏଥିରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ମନୋଭାବକୁ ଆଘାତ ପହଂଚାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଉତର ପ୍ରଦେଶ ପୁଲିସ୍ ଆମାଜନ ପ୍ରାଇମ ଭିଡିଓର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଓଟିଟି ଓ ସୋସିଆଲ ମିଡିଆ ନେଇ ଫେବ୍ରୁଆରୀ ୨୬ରେ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ଏଥିରେ ବିଷୟବସ୍ତୁ ନେଇ ତଥ୍ୟ ହେବାକୁ ହେବ, ଏହାସହ କେଉଁଠି ପ୍ରସାରଣ କରିବେ ତାହା ମଧ୍ୟ ଜଣାଇବାକୁ ପଡ଼ିବ ।