ସିସୋଦିଆଙ୍କୁ ‘ସୁପ୍ରିମ୍’ ଝଟକା । ଶୁଣାଣି କରିବାକୁ କରିଲେ ମନା, କହିଲେ ଆଗ ହାଇକୋର୍ଟ ଯାଅ ।

147

କନକ ବ୍ୟୁରୋ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ସିବିଆଇ ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିସୋଦିଆ । ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି, ଆପଣ ସିଧାସଳଖ ସୁପ୍ରିମକୋର୍ଟ କାହିଁକି ଆସୁଛନ୍ତି । ଆପଣଙ୍କ ମାମଲାର ଶୁଣାଣି ପାଇଁ ଅନ୍ୟ ବିକଳ୍ପ ରହିଛି । କିନ୍ତୁ ଆପଣ ସିଧାସଳଖ ଏଠାକୁ କାହିଁକି ଆସିଲେ । ଏହା ଆଦୌ ଭଲ ପରମ୍ପରା ନୁହେଁ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ବିଚାରପତି ନରସିହ୍ମାଙ୍କ ବେଞ୍ଚରେ ଏହାର ଶୁଣାଣି ହୋଇଥିଲା । ଯେଉଁ ମାମଲାକୁ ନେଇ ନିରସିହ୍ମା କହିଛନ୍ତି, କୌଣସି ଘଟଣା ଦିଲ୍ଲୀରେ ହେଲେ ଆପଣ କଣ ସିଧାସଳଖ ସୁପ୍ରିମକୋର୍ଟ ଚାଲି ଆସିବେ । ଆପଣଙ୍କ ପାଖରେ ଦିଲ୍ଲୀ ହାଇକୋର୍ଟର ବିକଳ୍ପ ରହିଛି । ତେଣୁ ସେଠାରେ ପ୍ରଥମେ ଆବେଦନ କରିପାରିଥାନ୍ତେ ।

ଅନ୍ୟପଟେ ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଘବୀଙ୍କ କହିବା ଅନୁଯାୟୀ, ଏବେ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ଏମିତିକି ଗିରଫଦାରୀ ବି ନିୟମ ଅନୁଯାୟୀ ହୋଇନାହିଁ । ତେଣୁ ସୁପ୍ରିମକୋର୍ଟ ଆସିବାକୁ ପଡିଲା । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆପ୍ କହିଛି ଆମେ ହାଇକୋର୍ଟ ନିଶ୍ଚୟ ଯିବୁ । ଆମେ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ସମ୍ମାନ କରୁଛୁ, ତେଣୁ ହାଇକୋର୍ଟ ଯିବୁ ।

ମଦ ନୀତିରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଏମିତିକି ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା । ଏନେଇ ସୋମବାର ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣି କରିଥିଲେ । ପରେ ରିମାଣ୍ଡ ଅନୁମତି ମିଳିବା ପରେ ଏବେ ସିସୋଦିଆଙ୍କୁ ପଚରାଉଚରା ଆରମ୍ଭ କରିଛି ସିବିଆଇ ।

ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ । ଘଟଣାକୁ ନେଇ ଆମ ଆଦମୀ ପାର୍ଟି ପ୍ରତିକ୍ରିୟା ଦେଇଛି । ରାଜନୈତିକ ଚାପ ପାଇଁ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ସେପଟେ କଂଗ୍ରେସ କହିଛି ସରକାରୀ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଛି ବିଜେପି ।