କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ ।

128

କନକ ବ୍ୟୁରୋ: ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ଘୋର ଅଭାବ ସୃଷ୍ଟି ହୋଇଛି । ଗୋଟିଏ ପଟେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ଅନ୍ୟପଟେ ଟିକାର ଅଭାବ, ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଶନିବାର ଓ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ, ତେଣୁ ଟିକା ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । ଏପଟେ ମେ’ ୧ରୁ ଟିକାକରଣ ପ୍ରକ୍ରିିୟା ବଦଳିବାକୁ ଯାଉଛି, ଫଳରେ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି ।

ସୁପ୍ରିମକୋର୍ଟ କରୋନା ସଂକଟର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କୋଭିଡ ପରିଚାଳନା ନେଇ ପ୍ରଶ୍ନ କରିଛନ୍ତି । ଟିକାର ଦାମ ଓ ଟିକାକରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ରକୁ ଜବାବ ମାଗିଛନ୍ତି ଖଣ୍ଡପୀଠ । ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି –

  • ଟିକାର ଦାମ କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଅଲଗା ଅଲଗା କାହିଁକି?
  • କୋଭିସିଲ୍ଡର ଦାମ ଭାରତ ଓ ଆମେରିକାରେ ଅଲଗା କାହିଁକି?
  • କାହିଁକି ଶହେ ପ୍ରତିଶତ ଟିକା କିଣୁନାହାନ୍ତି ସରକାର?
  • ଟିକାକରଣର ସଂପୂର୍ଣ୍ଣ ଅଭିଯାନ କାହିଁକି କେନ୍ଦ୍ର ନିଜ ହାତକୁ ନେଉନାହିଁ?
  • ଟିକା ବିକ୍ରିକୁ ଅନୁମତି ଦେଇ କିପରି ସୁଷମ ବଂଟନ ଆଶା କରାଯାଉଛି?
  • ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଅଫ୍ଲାଇନ୍ ବ୍ୟବସ୍ଥା ନାହିଁ କାହିଁକି?
  • ଆପସ ବ୍ୟବହାର କରିପାରୁନଥିବା ଲୋକଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି?

ସେହିପରି ସୋସିଆଲ ମିଡିଆରେ ଶଯ୍ୟା, ଅକ୍ସିଜେନ ଅଭାବ ନେଇ ଲୋକେ ଅଭିଯୋଗ କଲେ, ଏହାକୁ ଅପପ୍ରଚାରର ଆଖ୍ୟା ଦିଆଯାଇପାରିବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାକୁ ସକରାତ୍ମକ ଭାବେ ଗ୍ରହଣ କରି ବ୍ୟବସ୍ଥାକୁ ସୁଧାରିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେଣୁ ବିଭ୍ରାନ୍ତି ପ୍ରଚାର ଅଭିଯୋଗରେ କାହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଏହାକୁ କୋର୍ଟଙ୍କ ଅବମାନନା ଭାବେ ଧରାଯିବ ବୋଲି ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ ।