ଫାଶୀ ଘୁଞ୍ଚୁଛି ନିର୍ଭୟା ଆତ୍ମା କାନ୍ଦୁଛି ! ସାତ ଦିନ ପୂରିଲା, ସୈତାନଙ୍କ ଛାତି ଥରିଲା । ନିର୍ଭୟା ରାକ୍ଷସଙ୍କୁ ଫାଶୀ ପାଇଁ ନୂଆ ଡେଥ୍ ୱାରେଣ୍ଟ ଆବେଦନ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

1,473

କନକ ବ୍ୟୁରୋ: ନ୍ୟାୟ ନ୍ୟାୟ ନ୍ୟାୟ ନିର୍ଭୟାକୁ କେବେ ମିଳିବ ନ୍ୟାୟ? ନ୍ୟାୟ ଆଉ ନିର୍ଭୟା ଦୁଇଟି ଶବ୍ଦ ସତେ ଯେମିତି ଖେଳନା ହୋଇଯାଇଥିବା ଅନୁଭବ ହେଉଛି । କାରଣ ନିର୍ଭୟା ଗଣଦୁର୍ଷ୍ମକାରୀଙ୍କ ଫାଶୀ ତାରିଖ ପୂର୍ବରୁ ବାରମ୍ବାର ଘୁଞ୍ଚିବା ଆଉ ଦୋଷୀମାନଙ୍କୁ ଆହୁରି ଆସ୍ୱସ୍ତି ମିଳିବା ସତେ ଯେମିତି ନିର୍ଭୟା ଆତ୍ମାକୁ ଅଣନିଶ୍ୱସୀ କରିଦେଲାଣି । ତା’ଉପରେ ପୁଣି ଏକ ନୂତନ ଡେଥ୍ ୱରେଣ୍ଟ ଜାରି ପାଇଁ ଟ୍ରାଏଲ କୋର୍ଟରେ ଆବେଦନ କରିବାକୁ କେନ୍ଦ୍ରକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।

ଗତ ଫେବ୍ରୁଆରି ୫ ତାରିଖରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ରାୟ ଘୋଷଣା କରି କହିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ। ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରିତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ମକଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ସରକାର ଆଉ ଥରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି।

ସେପଟେ ଆଜି ସୁଦ୍ଧା ଯେଉଁ ଦୋଷୀମାନେ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନ୍ୟାୟିକ ବିକଳ୍ପର ଉପଯୋଗ କରି ନ ଥିବେ, ସେମାନଙ୍କୁ ଆଉ ନୂତନ ସୁଯୋଗ ପ୍ରଦାନ କରାଯାଇ ପାରିବ ନାହିଁ। ଏବଂ ଆଇନ ତା’ ବାଟରେ କାମ କରିବ। ଆଜି ଏହି ମାମଲାର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ଦୋଷୀମାନେ ଆଇନର ଦୁରୁପଯୋଗ କରୁଛନ୍ତି ଏବଂ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍ ଚଳାଉଛନ୍ତି । ଦୋଷୀ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ୍ କିମ୍ବା ରାଜକ୍ଷମା ଆବେଦନ ଦାଖଲ ନ କରିବା ମଧ୍ୟ ଏକ ସୁଚିନ୍ତିତ ଚାଲ୍ ବୋଲି ସେ କହିଥିଲେ। ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାର କଣ୍ଟ ତାହା ଆଜି ଶେଷ ହୋଇଛି । ତେଣୁ, ଆଜି ସୁଦ୍ଧା ଯେଉଁ ଦୋଷୀମାନେ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନ୍ୟାୟିକ ବିକଳ୍ପର ଉପଯୋଗ କରି ନ ଥିବେ, ସେମାନଙ୍କୁ ଆଉ ନୂତନ ସୁଯୋଗ ପ୍ରଦାନ କରାଯାଇ ପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୩ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ଧର୍ଯ୍ୟ କରିଛନ୍ତି ।