ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ନିଷ୍ପତି ନେଇପାରିବେନି ବାଚସ୍ପତି

ସେପଟେ ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ସମୟ ମାଗିଲେ କୁମାରସ୍ୱାମୀ

196

କନକ ବ୍ୟୁରୋ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି । ମଙ୍ଗଳବାର ଯାଏଁ ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଇସ୍ତ୍ରଫା ଓ ଅଯୋଗ୍ୟତା ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତି ନ ନେବାକୁ କୋର୍ଟ ଆଜି କହିଛନ୍ତି । ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ଅର୍ଥାତ୍ ୧୬ ତାରିଖରେ ହେବ । ଆଜିର ଶୁଣାଣିବେଳେ ବାଚସ୍ପତିଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

source : Zee News

ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ, ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତିକୁ ବାଚସ୍ପତି ଚ୍ୟାଲେଞ୍ଜ କରିପାରିବେ କି ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି କଡା ସୁରକ୍ଷାରେ ବେଙ୍ଗଲୁରୁ ସ୍ଥିତ ବିଧାନସୌଧରେ ୧୧ ବିଦ୍ରୋହୀ ବିଧାୟକ, ବାଚସ୍ପତି କେ. ଆର ରମେଶଙ୍କୁ ଭେଟିଥିଲେ । ତେବେ ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେଇନଥିଲେ ବାଚସ୍ପତି । ଏନେଇ ସେ ଗତକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେବାକୁ ଅତିକମରେ ୧୨ ଦିନ ସମୟ ଦେବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ସ୍ୱେଚ୍ଛାକୃତ ଭାବେ ନା ବାଧ୍ୟବାଧକତାରେ ସେମାନେ ଇସ୍ତଫା ଦେଇଛନ୍ତି ତାହା ଜାଣିବା ପାଇଁ ସମୟ ଦରକାର । ଏତେ କମ ସମୟ ମଧ୍ୟରେ ଏହି ଯାଂଚ ଶେଷ ହୋଇପାରିବ ନାହିଁ ବୋଲି ବାଚସ୍ପତି ସୁପ୍ରିମକୋର୍ଟରେ କହଥିଲେି । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ୧୬ ତାରିଖ ଯାଏଁ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିା

ଏପଟେ କଂଗ୍ରେସ-ଜେଡିଏସ ମେଂଟ ସରକାର ସଙ୍କଟ ଭିତରେ ଆଜି ଆରମ୍ଭ ହୋଇଛି କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଗୃହରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ବାଚସ୍ପତିଙ୍କୁ ସମୟ ମାଗିଛନ୍ତି । କୁମାର ସ୍ୱାମୀ କହିଛନ୍ତି ରାଜ୍ୟରେ ଗତି କିଛି ଦିନ ଭିତରେ ଯାହା କିଛି ଘଟିଯାଇଛି, ଏହା ପରେ ମେଂଟ ସରକାର ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ମେଂଟ ସରକାର ପ୍ରତି ବିପଦ ନାହିଁ, ତାଙ୍କ ପାଖରେ ବହୁମତ ଥିବା ବେଳେ ସେ କାହିଁକି ଇସ୍ତଫା ଦେବେ । ପୂର୍ବରୁ କଂଗ୍ରେସ-ଜେଡିଏସ ତରଫରୁ ବିଦ୍ରୋହୀ ବିଧାୟକଙ୍କ ସମେତ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲେ । କଂଗ୍ରେସ-ଜେଡିଏସ ମେଂଟ ସରକାର ସଂକଟରେ ଥିବା ବେଳେ କର୍ଣ୍ଣାଟକରେ ନୂଆ ସମୀକରଣ ଚର୍ଚ୍ଚା ଜୋର ଧରିଛି । ଏବେ ଜେଡିଏସ ସହ ବିଜେପି ମେଂଟ ସରକାର କରିବା ନେଇ କସରତ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏପରିକି ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ବିଜେପି ଯାଚିଥିବା ଶୁଣିବାକୁ ମିଳିଛି ।