ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି, ମୃତ ଅଭିଯୁକ୍ତଙ୍କ ଶବକୁ ସଂରକ୍ଷିତ ରଖିବାକୁ ଦେଲେ ନିର୍ଦ୍ଦେଶ ।

231

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଂଟର ମାମଲାର ଶୁଣାଣୀ ହୋଇଛି । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ବୋବଡେ । ଏହାସହ ମାମଲାର ତଦନ୍ତ ପାଇଁ ୩ ଜଣିଆ ତଦନ୍ତ କମିସନ ଗଠନ କରାଯାଇଛି । ଏବଂ ମୃତ ଅଭିଯୁକ୍ତଙ୍କ ଶବକୁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଂଟର ମାମଲା । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ସଂଜିବ ଖନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଂଟର କରିବା ପରେ ନିରପେକ୍ଷ ତଦନ୍ତ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ ତଦନ୍ତ କମିସନ ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶୀରପୁରକର ଓ ଅନ୍ୟ ଦୁଇ ସଦସ୍ୟ ହେଲେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ବଲଦୋଟା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡିଆର କାର୍ତିକେୟନ ।

୬ ମାସ ଭିତରେ ତଦନ୍ତ ଶେଷ କରି କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ପରବର୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ମାମଲାର ଅନ୍ୟ କୌଣସି ତଦନ୍ତ ଓ ଅନ୍ୟ କୌଣସି କୋର୍ଟ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ଲୋକଙ୍କୁ ହାଇଦ୍ରାବାଦ ଏନକାଉଂଟର ଘଟଣାର ସତ୍ୟ ଜାଣିବା ଅଧିକାର ରହିଛି । ତେଲେଙ୍ଗାନା ପୁଲିସ ଓ ସରକାରଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗି କହିଥିଲେ ତେଲେଙ୍ଗାନା ସରକାର ଏନକାଉଂଟର ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି । ଏହାପରେ ଚିଫ ଜଷ୍ଟିସ ପଚାରିଥିଲେ, ୪ଜଣ ଅଭିଯୁକ୍ତ ଯାହାଙ୍କୁ ଏନକାଉଂଟର କରାଗଲା ସେମାନେ କଣ ଅଭ୍ୟାସଗତ ଅପରାଧୀ ଥିଲେ କି? ଜବାବ ଦେଇ ମୁକୁଲ ରୋହତଗି କହିଥିଲେ, ନା ସେମାନେ ଲରି ଡ୍ରାଇଭର ଓ କ୍ଲିନର ଥିଲେ । ଏହାପରେ ଚିଫ ଜଷ୍ଟିସ ପ୍ରଶ୍ନ କରିଥିଲେ ଏନକାଉଂଟରରେ ମୃତ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚାଲିବ କି? ତେଲେଙ୍ଗାନା ସରକାରଙ୍କ ଆଭିମୁଖ୍ୟ ପୁଲିସକୁ ସୁରକ୍ଷା ଦେବା ଭଳି ମନେ ହେଉଥିବା କହିଥିଲେ ପ୍ରଧାନ ବିଚାରପତି ଏସଏ ବୋବଡେ ।

ନଭେମ୍ବର ୨୭ ତାରିଖରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏବଂ ନଭେମ୍ବର ୨୮ ତାରିଖରେ ଚେତନାପଲ୍ଲୀର ଏକ ପୋଲ ତଳୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ଏହାପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ । ଡିସେମ୍ବର ୬ ତାରିଖ ଭୋରରେ ପୁଲିସ ୪ ଅଭିଯୁକ୍ତଙ୍କୁ ଏନକାଉଂଟର କରିଥିଲା । ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ରିକ୍ରିଏସନ କରିବା ପାଇଁ ନିଆଯାଇଥିଲା । ହେଲେ ପୁଲିସର ପିସ୍ତଲ ଛଡାଇ ନେଇ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ଆଉ ଆତ୍ମରକ୍ଷା ପାଇଁ ୪ ଜଣଙ୍କୁ ଏନକାଉଂଟର କରିଥିବା ସ୍ପଷ୍ଟ କରିଛି ତେଲେଙ୍ଗାନା ପୁଲିସ । ଏହି ଏନକାଉଣ୍ଟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।