ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାକୁ ୧୫ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଏଯାଏଁ ୧ କୋଟି ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିବା ନେଇ ଅବଗତ କଲେ ସଲିସିଟର ଜେନେରାଲ ।

517

କନକ ବ୍ୟୁରୋ: ୧୫ଦିନ ଭିତରେ ପ୍ରବାସୀଙ୍କୁ ନିଜ ନିଜ ଘରକୁ ପଠାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀଙ୍କ ପଂଜୀକରଣ କରିବା ବାଧ୍ୟତାମୂଳକ କରିବା ସହ ପ୍ରବାସୀଙ୍କୁ ଜୀବିକା ଓ ସହାୟତା ଯୋଗାଇବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୧କୋଟି ପ୍ରବାସୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ରଖିଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟା । ସଡକପଥରେ ୪୧ଲକ୍ଷ ଓ ଟ୍ରେନ ଯୋଗେ ୫୭ଲକ୍ଷ ପ୍ରବାସୀଙ୍କୁ ନିଜ ନିଜ ଘରକୁ ପହଂଚାଇ ଦିଆଯାଇଛି ।

ସେପଟେ ଅଧିକାଂଶ ଟ୍ରେନ ଉତରପ୍ରଦେଶ ଓ ବିହାର ଯାଇଥିବା ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହାସହ ଏପର୍ଯ୍ୟନ୍ତ ୪ହଜାର ୨୭୦ ଶ୍ରମିକ ଟ୍ରେନ ଚଳାଚଳ ହୋଇଛି । ତେବେ ରାଜ୍ୟ ସରକାରମାନଙ୍କ ସହ କେନ୍ଦ୍ର ଯୋଗାଯୋଗରେ ଅଛି ଏବଂ କେବଳ ରାଜ୍ୟ ସରକାର ହିଁ ସ୍ପଷ୍ଟ କରିପାରିବେ ଯେ ଏବେ କେତେ ସଂଖ୍ୟକ ପ୍ରବାସୀ ଘରକୁ ଫେରିବା ପାଇଁ ଅଛନ୍ତି ଏବଂ ଏଥିପାଇଁ କେତେ ଟ୍ରେନ ଚଳାଚଳ କରିବାର ଆବଶ୍ୟକତା ରହିଛି ।

ତେବେ ଏଥିପାଇଁ ରାଜ୍ୟ ସରକାର ତାଲିକା ମଧ୍ୟ ପ୍ରସ୍ତୁତ କରିଥିବା ସୁପ୍ରିମକୋର୍ଟକୁ କହିଛନ୍ତି ସଲିସିଟର ଜେନେରାଲ । ସେପଟେ ଟ୍ରେନ ଚଳାଚଳ ପାଇଁ ଯେଉଁ ରାଜ୍ୟ କେନ୍ଦ୍ରଙ୍କୁ ଜଣାଇବ ଏବଂ ଏହାର ୨୪ଘଂଟା ମଧ୍ୟରେ ଟ୍ରେନର ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।