କନକ ବ୍ୟୁରୋ : ଏକ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରେସ ସ୍ୱାଧୀନତା ନିତ୍ୟାନ୍ତ ଆବଶ୍ୟକ । ଏମିତି ଟିପ୍ପଣୀ ଦେଇ ସୁପ୍ରିମକୋର୍ଟ ମାଲାୟଲମ ନ୍ୟୁଜ ଚ୍ୟାନେଲ ମିଡିଆ ୱାନ ଉପରୁ କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ସୁରକ୍ଷାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାର ଏହି ଟିଭି ଚ୍ୟାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ଦେଉନଥିଲେ । ଏହା ବିରୋଧରେ ଟିଭି ଚ୍ୟାନେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ନେତୃତ୍ୱ ନେଇଥିବା ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ତାଗିଦ ମଧ୍ୟ କରିଛନ୍ତି । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି-

Advertisment

ପ୍ରେସ୍ ସ୍ୱାଧୀନତା: କଣ କହିଲେ ସୁପ୍ରିମକୋର୍ଟ?

- ସରକାର ଗଣମାଧ୍ୟମକୁ ନିଜ ସପକ୍ଷରେ ଖବର ପ୍ରସାରଣ ପାଇଁ ବାଧ୍ୟ କରିିପାରିବେ ନାହିଁ
- ଆତଙ୍କବାଦ ସହିତ ସମ୍ବନ୍ଧ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣ ନଥିଲା
- ଗୁଜବ ଆଧାରରେ ରାଷ୍ଟ୍ରୀୟ ସୁରକ୍ଷା କଥା କୁହାଯାଇପାରିବ ନାହିଁ
- ରାଷ୍ଟ୍ରୀୟ ସୁରକ୍ଷା କଥା କହି ଲୋକଙ୍କ ଅଧିକାର ଛଡାଇ ନିଆଯାଇପାରିବ ନାହିଁ
- ପ୍ରେସ ନିଦ୍ଧିଷ୍ଟ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ ଜଣାଇବ ନା ନାହିଁ ଏକଥା ସରକାର ସ୍ଥିର କରିପାରିବେ ନାହିଁ
- ସରକାରଙ୍କ ସମାଲୋଚନା କରାଯାଉଥିବା କହି କୌଣସି ଚ୍ୟାନେଲର ଲାଇସେନନ୍ସ ରଦ୍ଦ କରାଯିବା ଅଧିକାର ସରକାରଙ୍କ ପାଖରେ ନାହିଁ
- ଗଣତନ୍ତ୍ର ରାଷ୍ଟ୍ର ପାଇଁ ପ୍ରେସ ସ୍ୱାଧୀନତାର ଆବଶ୍ୟକତା ରହିଛି ।
- ମଜବୁତ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରେସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ
- ସମସ୍ତ ତଦନ୍ତ ରିପୋର୍ଟକୁ ଗୋପନୀୟ ରଖାଯାଇପାରିବ ନାହିଁ । କାରଣ ଏହା ନାଗରିକର ସ୍ୱାଧୀନତା ଏବଂ ଅଧିକାର ଉପରେ ସିଧାସଳଖ ପ୍ରଭାବ ପକାଏ

କୋର୍ଟ ଏକଥା ମଧ୍ୟ କହିଛନ୍ତି ସୁରକ୍ଷା ଆଳରେ ନାଗରିକଙ୍କ ଅଧିକାର କ୍ଷୂର୍ଣ୍ଣ କରିପାରିବେ ନାହିଁ । ମାଲାୟଲମ ନ୍ୟୁଜ ଚ୍ୟାନେଲ ବ୍ୟାନ ପରେ ଏନେଇ ଚ୍ୟାନେଲ ପକ୍ଷରୁ ଆବେଦନ କରାଯାଇଥିବା ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ପ୍ରେସ ସ୍ୱାଧୀନତା ଉପରେ ଏହି ଟିପ୍ପଣୀ ଦେଇଛନ୍ତି  ।