ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ୨୪ଟି ନିର୍ଦ୍ଦେଶନାମା ଜାରି କଲେ ସୁପ୍ରିମକୋର୍ଟ ।

433

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଆସିଲା ମଧ୍ୟବର୍ତ୍ତୀକାଳୀନ ରାୟ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ । ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ନିଜ ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା ନିର୍ଦ୍ଦେଶ ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶ୍ରୀମନ୍ଦିରରେ ଯେଭଳି ସମସ୍ତ ନୀତିକାନ୍ତି ଯେଭଳି ପରମ୍ପରା ଅନୁସାରେ କାର୍ଯ୍ୟକାରୀ ହେବ ସେଥିଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ  ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏଥିରେ ରାଜ୍ୟ ସରକାର କିମ୍ବା ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖଣ୍ଡପୀଠ ଶ୍ରୀମନ୍ଦିର ପରିସରରେ ଯେଭଳି ମହିଳାଙ୍କୁ ଅସଦାଚରଣ, ପକେଟମାର ଓ ଛିନ୍‌ତାଇ ଭଳି ଘଟଣା ନ ଘଟେ ସେଥିପ୍ରତି କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କର ଦେଶ ଭିତରେ ଯେତିକି ସମ୍ପତ୍ତି ରହିଛି ତାହାର ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ଅନ୍ୟପକ୍ଷେରେ ସର୍ବୋଚ୍ଚ ଅଦାଲତ କେତେକ ସଂସ୍କାରମୂଳକ କାର୍ଯ୍ୟଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ତାଙ୍କର ପାଣ୍ଠିରୁ ୬.୫ କୋଟି ଟଙ୍କା ଦେବା ନେଇ ଘୋଷଣା କରିବା ସହ ଏକ ବିଦ୍ୟାଳୟ ନିର୍ମାଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମଧ୍ୟ କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ୬୦,୦୦୦ ଭକ୍ତଙ୍କ ଲାଗି ଏକ ବିଶ୍ରାମଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋପରି ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବା ଉଚିତ ବୋଲି ମାମଲାର ଶୁଣାଣି ସମୟରେ ମତ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।