ଧାରା ୩୭୦ ଉଚ୍ଛେଦ ମାମଲା । ସୁପ୍ରିମକୋର୍ଟରେ ଅକ୍ଟୋବର ୧ରୁ ଶୁଣାଣି କରିବେ ୫ ଜଣିଆ ଖଣ୍ଡପୀଠ : ଧାରା ଉଚ୍ଛେଦ ବିରୋଧରେ ହୋଇଛି ୧୨ରୁ ଅଧିକ ପିଟିସନ

343

କନକ ବ୍ୟୁରୋ : ଅକ୍ଟୋବର ୧ ତାରିଖରୁ ସୁପ୍ରିମକୋର୍ଟରେ ହେବ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ନେଇ ଶୁଣାଣି । ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଜଷ୍ଟିସ୍ ଏନଭି ରାମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ୍ ସଂଜୟ କିସନ କାଉଲ, ଆର ସୁଭାସ ରେଡ୍ଡି, ଭୂଷଣ ରାମକ୍ରିଷ୍ଣ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଗତ ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫ ଏ ର ଉଛେଦ ହୋଇଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟରେ ୧୨ରୁ ଅଧିକ ପିଟିସନ୍ ପଡିଛି ।

ଯାହା ମଧ୍ୟରେ ରହିଛି ସିପିଏମର ସୀତାରାମ ୟେଚୁରୀ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ନାସନାଲ୍ କନଫରେନ୍ସ ନେତା ମହମ୍ମଦ ଆକବର ଲୋନ୍ , ପିପୁଲ୍ସ କନଫରେନ୍ସ ପାର୍ଟିର ସଜ୍ଜାଦ୍ ଲୋନ୍, ସାଂବାଦିକ ଅନୁରାଧା ଭାସିନ୍, ଅବରପ୍ରାପ୍ତ ବିଚାରପତି ମୁଜାଫର ଇକବାଲ୍ ଖାନଙ୍କ ସହିତ କିଛି ଓକିଲ ଏବଂ ଜନସ୍ୱାର୍ଥ ମାମଲା ଆବେଦନକାରୀ ମଧ୍ୟ ଯାଚିକା ପକାଇଛନ୍ତି । ଅକ୍ଟୋବର ୧ ତାରିଖରୁ ଏହି ସବୁ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟର ପ୍ରମୁଖ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇ ଏହି ନୂଆଖଣ୍ଡପୀଠର ଗଠନ କରିଛନ୍ତି । ସୁପ୍ରିମକୋର୍ଟରେ ଏବେ ପ୍ରାୟ ୩ ହଜାର ମାମଲା ପଡି ରହିଛି । ଏହାର ତୁରନ୍ତ ଶୁଣାଣି ପାଇଁ ସିଜେଆଇ ଆଉ ତିନୋଟି ଖଣ୍ଡପୀଠ କରିଛନ୍ତି ।