କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ।

543

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅଣନିଶ୍ୱାସୀ ହୋଇପଡିଥିବା ଭାରତ, ତୃତୀୟ ଲହରକୁ କେମିତି ମୁକାବିଲା କରିବ । ମହାମାରୀର ତୃତୀୟ ଲହର ଆସିବା ଆଗରୁ ପ୍ରସ୍ତୁତି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ମୁକାବିଲା ପାଇଁ ପୁରା ପ୍ରସ୍ତୁତି କର । ଯଦି ଏବେ ଠାରୁ ପ୍ରସ୍ତୁତି କରାଯାଏ, ତେବେ ସ୍ଥିତିକୁ ଆୟତ କରାଯାଇପାରିବ । ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଶିଶୁମାନେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ବାପା, ମାଆ ହସ୍ପିଟାଲରେ ରହିବେ ନା ଅନ୍ୟ କେଉଁଠି ରହିବେ, ସେ କଥା ଜଣାଇବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

କରୋନାର ଦ୍ୱିତୀୟ ଲହରି ଏଯାଏଁ ଶୀର୍ଷରେ ଛୁଇଁନଥିବା ବେଳେ ତୃତୀୟ ଲହରି ଆସି କବାଟ ବାଡେଇଲାଣି । ଆଉ ଭୂତାଣୁ ଯେଉଁ ଭଳି ଭାବେ ତାର ରୂପ ବଦଳାଉଛି, ତୃତୀୟ ଲହରି ଦେଶ ପାଇଁ ଆହୁରି ଚିନ୍ତାର କାରଣ ପାଲଟିବ, ଏଥିରେ ସନ୍ଦେହ ନାହିଁ । ଠିକ୍ ଏତିକି ବେଳେ କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

‘ତୃତୀୟ ଲହରି ପାଇଁ ପ୍ରସ୍ତୁତ ରୁହ’..‘ପ୍ରସ୍ତୁତ ଥିଲେ ମୁକାବିଲା ସମ୍ଭବ’ । ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ବେଳେ କରୋନାର ତୃତୀୟ ଲହରିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଯଦି ମୁକାବିଲା ପାଇଁ ଆଜିଠୁ ପ୍ରସ୍ତୁତି କରାଯାଏ, ତେବେ ସ୍ଥିତିକୁ ଆୟତ କରାଯାଇପାରିବ । ସ୍ଥିତିର ମୁକାବିଲା ପାଇଁ କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରସ୍ତୁତ ହେବେ ସେନେଇ ରାସ୍ତା ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଡାକ୍ତର ନିରୋଜ ମିଶ୍ରଙ୍କ କହିବାର କଥା ହେଲା, ତୃତୀୟ ଲହରି ପାଇଁ ଅତିବେଶୀରେ ୪ ମାସ ଲାଗିପାରେ । ତେଣୁ ଟିକାକରଣକୁ ତ୍ୱରାନ୍ୱିତ କରିବା ଜରୁରୀ । ଅନ୍ୟପଟେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ତୃତୀୟ ଲହରି ବିଷୟରେ ଆମେ ବିଶେଷ କିଛି ଜାଣିନାହୁଁ । ତେଣୁ ତୃତୀୟ ଲହରି ବିଷୟରେ କହି ଲୋକଙ୍କୁ ଭୟଭୀତ କରିବା ନାହିଁ ।
ବଡ଼ କଥା ହେଉଛି, ତୃତୀୟ ଲହରିର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ିବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ କହିଛନ୍ତି, ଯଦି ଛୋଟ ପିଲା ଆକ୍ରାନ୍ତ ହୋଇ ହସ୍ପିିଟାଲ ଯାଆନ୍ତି, ତେବେ ତାଙ୍କ ବାପା-ମାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିବା ସହ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ।

ଏହାରି ଭିତରେ ଡାକ୍ତର ଏବଂ ନର୍ସଙ୍କ ଆବଶ୍ୟକତା ପୁରଣ କରିବା ଦିଗରେ ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ ଏମବିବିଏସ ପାଠ୍ୟକ୍ରମ ସାରି ପିଜି ଆଡମିନ୍ କରିବା ଅପେକ୍ଷରେ ଅଛନ୍ତି, ସେମାନଙ୍କୁ କିଭଳି ଉପଯୋଗ କରାଯାଇ ପାରିବ ସେ ସମ୍ପର୍କରେ ଚିନ୍ତା କରାଯାଉ । ସୁପ୍ରିମକୋର୍ଟ କହିଛନ୍ତି, ଏହି ବର୍ଗରେ ଦେଢ଼ ଲକ୍ଷ ଡାକ୍ତର ଥିବା ବେଳେ ଅଢ଼େଇ ଲକ୍ଷ ନର୍ସ ଘରେ ବସିଛନ୍ତି । ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ ।