କନକ ବ୍ୟୁରୋ : ୨୦୧୯ ହାଇଦ୍ରାବାଦ ଦୁଷ୍କର୍ମର ଅଭିଯୁକ୍ତଙ୍କୁ ମିଛ ଏନକାଉଣ୍ଟର କରାଯାଇଥିଲା । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସମିତି ଏହାକୁ ଫେକ୍ ଏନକାଉଣ୍ଟର କହିଛନ୍ତି । କମିଟି ସୁପାରିଶ କରିଛି ଦିଶା ଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ହତ୍ୟା ଅଭିଯୋଗରେ ୧୦ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ।

Advertisment

ଏହି ପ୍ୟାନେଲ କହିଛନ୍ତି, ପୋଲିସ ଦ୍ୱାରା ଯେଉଁ ଅଭିଯୋଗ କରାଯାଇଛି ଯେ ଅଭିଯୁକ୍ତ ପିସ୍ତଲ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲେ ତାହା ଅବିଶ୍ୱସନୀୟ । ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ପ୍ରମାଣରୁ ଏହା ସ୍ପଷ୍ଟ ହେଉନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ପ୍ୟାନେଲ କହିଛି ‘ଆମ ମତରେ ସେମାନଙ୍କୁ ଜାଣିଶୁଣି ଗୁଳି କରାଯାଇଥିଲା, ଏହା କରିବା ଦ୍ୱାରା କୁହାଯିବ ଯେ ଗୁଳି ଲାଗି ତାଙ୍କର ମୃତ୍ୟୁ ହୋଇଛି’ ।

ହାଇଦ୍ରାବାଦରେ ହୋଇଥିବା ତଥାକଥିତ ଗୁଳିକାଣ୍ଡରେ ଯାଞ୍ଚ କରିବା ପାଇଁ ଚଳିତ ବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟର ଜଷ୍ଟିସ ସିରପୁରକରଙ୍କ ନେତ୍ୱତ୍ୱରେ ଗୋଟିଏ ପ୍ୟାନେଲ ଗଠନ କରାଯାଇଥିଲା । ଏହି କମିଟି ବନ୍ଦ ଲଫାଫାରେ ନିଜର ରିପୋର୍ଟ ସର୍ବୋଚ୍ଚ ଅଦାଲତକୁ ପ୍ରଦାନ କରିଥିଲେ ।

୨୦୧୯ ମସିହାରେ ଜଣେ ୨୭ ବର୍ଷୀୟା ପଶୁ ଚିକିତ୍ସାଅଧିକାରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିଲା । ଶାମାଶାବାଦ ନିକଟ ଟୋଡ୍ଡୁପଲ୍ଲୀରେ ଏକ ଟୋଲପ୍ଲାଜରେ ହତ୍ୟା ପରେ ଆଉ ଗୋଟିଏ ଅଞ୍ଚଳରେ ପୋଡିଦିଆଯାଇଥିଲା । ଗଣଦୁଷ୍କର୍ମ ପରେ ହତ୍ୟାରେ ସାମିଲ ଥିବା ମହମ୍ମଦ ଆରିଫ, ଚିନ୍ତାକୁଣ୍ଟା ଚିତ୍ରାକେଶଭୁଲୁ, ଜୋଲୁ ଶିବା, ଜୋଲୁ ନବୀନଙ୍କୁ ନଭେମ୍ବର ମାସରେ ଗିରଫ କରାଯାଇଥିଲା । ପରେ ଡିସେମ୍ବର ୬ ତାରିଖରେ ଏ ସମସ୍ତଙ୍କର ଏନକାଉଣ୍ଟର କରାଯାଇଥିଲା । ପୋଲିସ ହେପାଜତରୁ ସେମାନେ ଖସିବାକୁ ଉଦ୍ୟମ ବେଳେ ଘଟଣାସ୍ଥଳରେ ପୋଲିସ ତାଙ୍କୁ ଏନକାଉଣ୍ଟର କରିଥିଲା ।