କନକ ବ୍ୟୁରୋ : ସବୁଦିନ ପାଇଁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରନ୍ତି ଦାଗୀ ସାଂସଦ ଓ ବିଧାୟକ । ସାଂସଦ ଓ ବିଧାୟକଙ୍କ ଦ୍ୱାରା ସଂଘଠିତ ଅପରାଧ ଅକ୍ଷମଣୀୟ । ସେମାନଙ୍କୁ ସ୍ଥାୟୀ ରୂପେ ଏ କ୍ଷେତ୍ରରେ ଅଯୋଗ୍ୟ କରିବା ଉଚିତ୍ । ସୁପ୍ରିମକୋର୍ଟର ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କ ଉନ୍ନବିଂଶତମ ରିପୋର୍ଟରେ ଏହାକୁ ସମର୍ଥନ କରିଛନ୍ତି । ପୂର୍ବରୁ ଏ  କ୍ଷେତ୍ରରେ ମାତ୍ର ୬ ବର୍ଷର ପ୍ରାବଧାନ ଥିଲା ।

Advertisment

କିନ୍ତୁ ଏହା ସମ୍ବିଧାନର ଅନୁଚ୍ଛେଦ ୧୪କୁ ଉଲ୍ଲଂଘନ କରୁଛି ବୋଲି ବିଜୟ ହଂସାରିଆ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ୨୦୧୬ ମସିହାରୁ ଅପରାଧିକ ମାମଲା ସମ୍ପର୍କିତ ରିଟ୍ ପିଟିସନର ଶୁଣାଣି ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଚାଲିଛି । ଏହି ପିଟିସନରେ ଜନ ପ୍ରତିନିଧି ଆଇନ୍ ୧୯୫୭ ସେକ୍ସନ ୮ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରାଯାଇଛି । ବିଜୟ ହଂସାରିଆ ଏବେ ସୁଦ୍ଧା କୋର୍ଟରେ ୧୯ଟି ରିପୋର୍ଟ ଦାଖଲ କରିସାରିଛନ୍ତି । ଗୁରୁବାର ଓଡ଼ିଶା ସମେତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ନଭେମ୍ବର ୨୦୨୨ ସୁଦ୍ଧା ବିଚାରାଧୀନ ଥିବା ମାମଲାର ତଥ୍ୟ ପ୍ରଦାନ କରାଯାଇଛି ।

ବିଚାରଧୀନ ଥିବା ଅପରାଧିକ ମାମଲାରେ ଓଡ଼ିଶା ଦେଶର ଚତୁର୍ଥ ସ୍ଥାନରେ ରହିଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ସେହିପରି ଦ୍ୱିତୀୟରେ ବିହାର ଓ ତୃତୀୟରେ ମହାରାଷ୍ଟ୍ର ରହିଛି । ଏହି ମାମଲା ଗୁଡ଼ିକ ମଧ୍ୟରୁ କିଛି ମାମଲା ୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଲମ୍ବିତ ରହିଛି । ତେଣୁ ଏହାର ଶୀଘ୍ର ସମାଧାନ ପାଇଁ ଆମିକସ୍ କ୍ୟୁରି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।