ଜୈନ ମନ୍ଦିରରେ ପୂଜା ପାଇଁ ଅନୁମତି ବେଳେ ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଉଠାଇଲେ ପୁରୀ ରଥଯାତ୍ରାର କଥା: କହିଲେ, ସେତେବେଳେ କ୍ଷମା କରିଥିଲେ ପ୍ରଭୁ ଜଗନ୍ନାଥ, ଏବେ ବି କ୍ଷମା କରିଦେବେ ଭଗବାନ

କହିଲେ, ମଲ ଖୋଲିବା ପାଇଁ ରାଜି ହେଉଛନ୍ତି ସରକାର, କିନ୍ତୁ ମନ୍ଦିର ଖୋଲିବା ପାଇଁ ଦେଉଛନ୍ତି ପଛଘୁଂଚା

345

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜୈନ ମନ୍ଦିରରେ ପୂଜା କରିବା ପାଇଁ ଅନୁମତି ଦେବା ବେଳେ ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଉଠାଇଥିଲେ ପୁରୀ ରଥଯାତ୍ରା ଓ ଭଗବାନ ଜଗନ୍ନାଥଙ୍କ କଥା । ସେ କହିଥିଲେ, ଏହି ଦ୍ୱନ୍ଦ ଠିକ୍ ପୁରୀ ଦ୍ୱନ୍ଦ୍ୱ ଭଳି । ଶନିବାର ଓ ରବିବାର ପର୍ଯ୍ୟୁସନ ପର୍ବରେ ଜୈନ ଟ୍ରଷ୍ଟ, ଜୈନ ମନ୍ଦିରରେ ପୂଜା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ଜୈନ ମନ୍ଦିରରେ ପୂଜା ପାଇଁ ମନା କରିଦେଇଥିଲେ । ତେଣୁ ପୁରୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଧାନ ବିଚାରପତି କହିଥିଲେ, ସରକାର ମାନେ ମଲ ଖୋଲି ପାରୁଛନ୍ତି ଏବଂ ଯେଉଁଠି ଅର୍ଥ କାରବାର ଅଛି ତାକୁ ଖୋଲା ଯାଇ ପାରୁଛି କିନ୍ତୁ ମନ୍ଦିର ଖୋଲିବା ପାଇଁ ରାଜି ହେଉନାହାନ୍ତି ।

ପର୍ଯ୍ୟୁଶନ ପର୍ବରେ ପୂଜା ପାଇଁ ଜୈନ ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । କିଛିଦିନ ପୂର୍ବରୁ ବମ୍ବେ ହାଇକୋର୍ଟ କୋଭିଡ ପାଇଁ ଏହି ପର୍ବ ପାଳନ ଉପରେ ରୋକ ଲଗାଇଥିଲେ । ମହାରାଷ୍ଟ୍ର ସରକାର ମଧ୍ୟ କହିଥିଲେ ଏହି ସମୟରେ ଭିଡ଼କୁ ନିୟନ୍ତ୍ରଣ କରିହେବନାହିଁ । ଏହାର ଉତରରେ ପ୍ରଧାନ ବିଚାରପତି କହିଥିଲେ ଏହା ଏକ ବଦଳୁଥିବା ପରିସ୍ଥିତି । ଯଦି ଆପଣ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିିଡିଓର ପାଳନ କରିପାରିବେ ତେବେ କାହିଁକି ଏହି ପରମ୍ପରାକୁ ବନ୍ଦ କରାଯିବ । ଏଥି ସହ ପ୍ରଧାନ ବିଚାରପତି କହିଥିଲେ, ଏହା ଠିକ ପୁରୀ ପରିସ୍ଥିତି ଭଳି ।

ଗତ ଜୁନ ମାସରେ ସୁପ୍ରିମକୋର୍ଟ ପୁରୀରେ କଟକଣା ଭିତରେ ରଥଯାତ୍ରା ପାଳନ ପାଇଁ ଅନୁମତି ଦେଇଥିଲେ । କଟକଣା ଥିଲା, କର୍ଫ୍ୟ୍ରୁୁ ଜାରି ହେବ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ନିର୍ଦ୍ଦିଷ୍ଟ ରହିବ । ଏବଂ ଅଳ୍ପ ସଂଖ୍ୟାରେ ଲୋକ ରହି ପରମ୍ପରା ପାଳନ କରାଯିବ । ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହୋଇଥିଲା । ତେବେ ଏହି ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ, ମଲ ଭଳି ଯେଉଁଥିରେ ଟଙ୍କା କାରବାର ରହିଛି ସେପ୍ରକାର ଗତିବିଧିକୁ ସରକାର ଅନୁମତି ଦେଉଛନ୍ତି । କିନ୍ତୁ ଯେଉଁଥିରେ ଧର୍ମ କିମ୍ବା ପୂଜାବିଧିର କଥା ଅଛି ସେଠି ସରକାରମାନେ କହୁଛନ୍ତି, ଏଠି ଭଗବାନ ଅଛନ୍ତି ତେଣୁ ସରକାର କିଛି କରିପାରିବନି ।