ରାଜ୍ୟ ଅର୍ଥନୀତିକୁ ନେଇ ଏସବିଆଇର ଚମକାଇଦେଲା ଭଳି ରିପୋର୍ଟ : କରୋନା ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ କ୍ଷତି ହେବ ୬୮ ହଜାର କୋଟି, କମିବ ମୁଣ୍ଡ ପିଛାଆୟ

ଅର୍ଥନୀତି ବିଶେଷଜ୍ଞ କହିଲେ, ମୁକାବିଲା ପାଇଁ ସରକାର ଯୋଜନା କରିବା ଆବଶ୍ୟକ

414

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଓଡିଶା ୬୮ ହଜାର ୩୦୬ କୋଟି ଟଙ୍କାର କ୍ଷତି ସହିବ । ଏଭଳି ଚମକାଇ ଦେବା ଭଳି ରିପୋର୍ଟ ଦେଇଛି ଏସବିଆଇ ଇକୋରୋପ୍ । ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୦-୨୧ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ୧୧ ଦଶମିକ ୯ ପ୍ରତିଶତ ହ୍ରାସ ପାଇବ । ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ୧୪ ହଜାର ୭୪୫ ଟଙ୍କାକୁ ଖସି ଆସିବ । ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟରେ ୨୭ ହଜାର ଟଙ୍କା ହ୍ରାସ ହେବ । ସବୁ ରାଜ୍ୟ ଗୁଡିକ ସାମଗ୍ରିକ ଭାବେ ୩୮ ଲକ୍ଷ ଟଙ୍କାର କ୍ଷତି ସହିବେ । କେବଳ ମହାରାଷ୍ଟ୍ର ସବୁଠୁ ଅଧିକ ୫ ଦଶମିକ ୩ଲକ୍ଷ କୋଟି କ୍ଷତି ସହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

କୌଣସି ନିର୍ଦ୍ଧିଷ୍ଟ ଯୋଜନା ବିନା ଲକଡାଉନ ଓ ସଟଡାଉନ ଲାଗୁ କରିବା ଓ ହଟାଯିବା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲେଖ କରାଯାଇଛି । ଅର୍ଥନୀତି ବିଶେଷଜ୍ଞଙ୍କ ମତ ଏହାର ମୁକାବିଲା ପାଇଁ ସରକାର ଯୋଜନା କରିବାର ଆବଶ୍ୟକତା ରହିଛି । ଲୋକଙ୍କ ହାତକୁ ପଇସା ଆସିବା ଦରକାର । ଏହାକୁ ଶତାବ୍ଦିର ବଡ ସଂକଟ କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।