ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଆଜି ରାତି ୧୦ଟା ୧୫ରୁ ମେ’ ୮ ତାରିଖ ରାତି ୧ଟା ୪୫ ପର୍ଯ୍ୟନ୍ତ ବନ୍ଦ ହେବ ଏସବିଆଇର ଅନଲାଇନ ସେବା ।

1,331

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଯଦି ଏସବିଆଇର ଡିଜିଟାଲ ସେବା ଯୋଗେ ଅନଲାଇନ କାରବାର କରୁଥାନ୍ତି ତେବେ ଜାଣିନିଅନ୍ତୁ ଏହି ଖବର । ଆଜି ରାତିରୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇର ଡିଜିଟାଲ ସେବା । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏହି ସମୟରେ ଡିଜିଟାଲ ସେବା ବ୍ୟବହାର କରିପାରିବେନି ଗ୍ରାହକ । ଏନେଇ ଟ୍ୱିଟ୍ କରି ଏସବିଆଇ ପକ୍ଷରୁ କୁହାଯାଇଛି ।

ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ମେ ୭ ତାରିଖ ରାତି ୧୦ଟା ୧୫ ମିନିଟ୍ ସମୟରୁ ୮ ତାରିଖ ରାତି ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ମେଣ୍ଟେନାନ୍ସ କାର୍ଯ୍ୟ ଜାରି ରହିବ ।ଏହି ସମୟ ମଧ୍ୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟେନୋ, ୟୋନୋ ଲାଇଟ, ୟୁପିଆଇ ସେବା ଉପଲବ୍ଧ ରହିବ ନାହିଁ । ଡିଜିଟାଲ ସେବାରେ ବ୍ୟାଘାତ ପାଇଁ ଆମେ ଦୁଃଖିତ ଏବଂ ଆପଣଙ୍କୁ ଆମ ସହ ରହିବାକୁ ଅନୁରୋଧ କରୁଛୁ ବୋଲି ଟ୍ୱିଟ୍ କରି କହିଛି ଏସବିଆଇ ।

ତେଣୁ ଏସବିଆଇର ଡିଜିଟାଲ ସେବା ସହ ଯଦି ଆପଣ ଜଡିତ ତେବେ ଆଜି ରାତି ୧୦ଟା ୧୫ ମିନିଟ୍ ପୂର୍ବରୁ ଜରୁରୀ କାମ ସାରିଦିଅନ୍ତୁ । ଖାସକରି ଟଙ୍କା ନେଣଦେଣ କରିବାକୁ ଚାହୁଁଥିଲେ ଦିଆଯାଇଥିବା ସମୟସୀମା ମଧ୍ୟରେ ସାରିଦିଅନ୍ତୁ ।  ଏବେ ଲଗାତାର ଭାବେ ଅନଲାଇନ ଠକେଇ ବଢୁଥିବା ବେଳେ ଡିଜିଟାଲ ସେବାକୁ ଆହୁରି ସୁରକ୍ଷିତ କରିବାକୁ ବ୍ୟାଙ୍କ ପକ୍ଷରୁ ଏଭଳି ମେଣ୍ଟେନାନ୍ସ କାର୍ଯ୍ୟ ଲଗାତାର କରାଯାଉଛି । ଡିସେମ୍ବର ୨୦୨୦ ସୁଦ୍ଧା ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ଯଥାକ୍ରମେ ୮.୫ କୋଟି ଓ ୧.୯ କୋଟି ରହିଛି । ସେହିଭଳି ବ୍ୟାଙ୍କ ୟୁପିଆଇ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୧୩.୫ କୋଟି ରହିଛି ।