କନକ ବ୍ୟୁରୋ : ନାରୀ ଶକ୍ତି ଓ ମହିଳାଙ୍କ ଅଧିକାର ଆଗରେ ଶେଷରେ ମୁଣ୍ଡ ନୁଆଁଇଲା ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ତରଫରୁ ଗର୍ଭବତୀ ମହିଳାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଆଦେଶ ଶେଷରେ ବ୍ୟାଙ୍କ ତରଫରୁ ପ୍ରତ୍ୟାହାର କରାଯାଇଛି ।

Advertisment

ଷ୍ଟେଟ୍ ବ୍ୟାଙ୍କ ତରଫରୁ ଡିସେମ୍ବର ମାସରେ ଏକ ସର୍କୁଲାର ଜାରୀ କରାଯାଇ କୁହାଯାଇଥିଲା କି, ୩ ମାସରୁ ଅଧିକ ଗର୍ଭବତୀ ଥିବା ମହିଳାଙ୍କୁ ନିଯୁକ୍ତି ପାଇଁ ଅସ୍ଥାୟୀ ରୂପେ ଅଯୋଗ୍ୟ କରାଯିବ । ଏହାସହ ମହିଳାଙ୍କ ପ୍ରସବର ୪ ମାସ ପରେ ସେମାନଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା । ଏଭଳି ପ୍ରସଙ୍ଗରେ ଦେଶର ଅନେକ ଶ୍ରମିକ ସଂଗଠନ ଓ ଦିଲ୍ଲୀ ମହିଳା ଆୟୋଗଙ୍କ ବିରୋଧ ଦେଖିବାକୁ ମିଳିଥିଲା । ଚାରିପଟୁ ସମାଲୋଚନାରେ ଶିକାର ହେବା ପରେ ଶନିବାର ଦିନ ବ୍ୟାଙ୍କ ତରଫରୁ ଏହି ଆଦେଶକୁ ପ୍ରତ୍ୟାହାର କରାଯାଇଛି । ଏନେଇ ବ୍ୟାଙ୍କ ତରଫରୁ କୁହାଯାଇଛି କି ଗର୍ଭବତୀ ମହିଳାମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାଙ୍କ ତାର ପୁରୁଣା ଆଇନ ଲାଗୁ କରିବ ।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାଲ ଏସବିଆଇର ଏଭଳି ନିୟମ ମହିଳାଙ୍କ ସହିତ ଭେଦଭାବ କହିବା ସହ ବ୍ୟାଙ୍କକୁ ଏକ ନୋଟିସ ପଠାଇଥିଲେ । ଏହାସହ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସାଂସଦ ବିନୋୟ ବିଶ୍ୱମ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏହା ବ୍ୟତୀତ ଅଲ୍ ଇଣ୍ଡିଆ ଏସବିଆଇ ଏମ୍ପ୍ଲଇଜ ଆସୋସିଏସନର ଜେନେରାଲ ସେକ୍ରେଟାରୀ କେ.ଏମ୍ କୃଷ୍ଣା ଏସବିଆଇ ମ୍ୟାନେଜମେଣ୍ଟକୁ ଚିଠି ଲେଖି ଆଇନ ରଦ୍ଦ କରିବାକୁ ଦାବି କରିଥିଲେ ।