କନକ ବ୍ୟୁରୋ : କେମିତି ଅଛି ଓଡିଶାର ଅର୍ଥନୀତି । କେମିତି ତାଲାବନ୍ଦ ଅର୍ଥନୀତିର ମେରୁଦଣ୍ଡକୁ ଭାଙ୍ଗି ଦେବାକୁ ବସିଛି । ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏନେଇ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ କୁହାଯାଇଛି, ଚଳିତ ଆର୍ଥିକ ବର୍ଷରେ ଓଡିଶା ୬୮ ହଜାର ୩୦୬ କୋଟି କ୍ଷତି ସହିବ ।
ଲକଡାଉନ୍ ଭାଙ୍ଗିଦେଲା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ । ଚଳିତ ଆର୍ଥିକ ବର୍ଷରେ କ୍ଷତି ସହିବ ୬୮ ହଜାର ୩୦୬ କୋଟି । କରୋନା ସଂକ୍ରମଣ ଓ ସଂକ୍ରମଣ ରୋକିବାକୁ ଲକ୍ଡାଉନ ପୂରା ଦୋହଲାଇ ଦେଇଛି ରାଜ୍ୟର ଅର୍ଥନୀତିକୁ । ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଦର୍ଶାଉଛି କେତେ ସଂଗୀନ ହୋଇପଡ଼ିଛି ରାଜ୍ୟର ଆର୍ଥିକ ସ୍ଥିତି ।
ନଜର ପକାନ୍ତୁ ଏସବିଆଇ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ କିଭଳି ରହିବ ଓଡ଼ିଶାର ଆର୍ଥିକ ସ୍ଥିତି...
ଓଡ଼ିଶାର ଅର୍ଥନୀତି ୬୮,୩୦୬ କୋଟି କ୍ଷତି ସହିବ
ମୋଟ ରାଜ୍ୟ ଘରୋଇ ଉତ୍ପାଦ ୧୧.୯ ପ୍ରତିଶତ ହ୍ରାସ ହେବ
ଓଡ଼ିଶାର ମୁଣ୍ଡ ପିଛା ଆୟ ୧୪, ୭୪୫ ଟଙ୍କା କମିଯିବ
ଜାତୀୟ ଜିଡିପି କ୍ଷତିରେ ଓଡ଼ିଶାର ଭାଗ ୧.୮ ପ୍ରତିଶତ
କ୍ଷତି ତାଲିକାରେ ଓଡ଼ିଶାର ସ୍ଥାନ ୧୬
ସବୁଠୁ ଅଧିକ ପ୍ରଭାବିତ ହେବ ଶିଳ୍ପ ଓ ଉତ୍ପାଦନରେ ଆଗୁଆ ଥିବା ରାଜ୍ୟ । କ୍ଷତି ତାଲିକାର ଶୀର୍ଷରେ ଥିବା ୫ଟି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ । କେବଳ ମହାରାଷ୍ଟ୍ରରେ କ୍ଷତି ହେବ ୫ଲକ୍ଷ ୩୯ ହଜାର ୩୪୪ କୋଟି ଟଙ୍କା ।
ଏସବିଆଇ ରିପୋର୍ଟ ଅନୁସାରେ କରୋନା ମାଡ଼ରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ସାମଗ୍ରିକ ଭାବେ ୩୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ । ଦେଶର ଅର୍ଥନୀତିରେ ଏ ବର୍ଷ ୧୬.୫ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।