କରୋନା ବେଳେ ଅନାଦେୟ ଋଣ ବଢିଯିବା ଆଶଙ୍କା: ସଙ୍କଟରେ ବ୍ୟାଙ୍କ ବିକିବେ ସେୟାର, ଦ୍ୱିତୀୟ ତ୍ରୟୋମାସ ଆର୍ଥିକ ଫଳାଫଳ ପରେ ଚୂଡାନ୍ତ ନିଷ୍ପତି

521

କନକ ବ୍ୟୁରୋ: କରୋନା ପ୍ରଭାବରେ ବ୍ୟାଙ୍କଗୁଡିକରେ ଅନାଦେୟ ଋଣ ବହୁତ ବଢିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଭବିଷ୍ୟତର ପାଣ୍ଠି ଆବଶ୍ୟକତା ପୂରଣ ଲାଗି ବ୍ୟାଙ୍କଗୁଡିକ ସଜାଗ ହୋଇଛନ୍ତି । ଦେଶର ୪ଟି ବଡ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦା ସେୟାର ବିକ୍ରୀ କରିବା ଉପରେ ବିଚାର କରୁଛନ୍ତି । ଯୋଗ୍ୟ ସଂସ୍ଥାଗତ ପ୍ଲେସମେଂଟ, କ୍ୟୁଆଇପି ଜରିଆରେ ସେୟାର ବିକ୍ରି କରିବା ଉପରେ ବ୍ୟାଙ୍କଗୁଡିକ ବିଚାର କରୁଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଆର୍ଥିକ ଫଳାଫଳ ପ୍ରକାଶ ପାଇବା ପରେ ବ୍ୟାଙ୍କଗୁଡିକ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଲକଡାଉନ ସମୟରେ ଗ୍ରାହକଙ୍କ ଉପରୁ ଚାପ ଦୂର କରିବା ଲାଗି ୬ ମାସର ମୋରାଟୋରିଅମ ଘୋଷଣା କରାଯାଇଥିଲା । ଚଳିତମାସ ୩୧ରେ ଏହି ଅବଧି ଶେଷ ହେବ । ତେଣୁ ଅକ୍ଟୋବର ସୁଦ୍ଧା ଅନାଦେୟ ଋଣ ବା ଏନପିଏର ସ୍ପଷ୍ଟ ଚିତ୍ର ମିଳିଯିବ । ତାପରେ ବ୍ୟାଙ୍କଗୁଡିକ ସେୟାର ବିକ୍ରି କରିବା ଲାଗି ମର୍ଚାଂଟଣ୍ଟ ବ୍ୟାଙ୍କରମାନଙ୍କୁ ଦାୟିତ୍ୱ ଦେବେ । କରୋନା ସଙ୍କଟ ପ୍ରଭାବକୁ ଦୂର କରିବା ଲାଗି ବ୍ୟାଙ୍କଗୁଡିକୁ ସରକାର ୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବା ଦରକାର ବୋଲି ଆକଳନ କରାଯାଉଛି । ମାତ୍ର ଆର୍ଥିକ କାର୍ଯ୍ୟକଳାପ ସ୍ୱାଭାବିକ ନଥିବାରୁ ବ୍ୟାଙ୍କଗୁଡିକୁ ଆବଶ୍ୟକ ପାଣ୍ଠି ଦେବା ସରକାରଙ୍କ ପକ୍ଷେ ସମ୍ଭବ ହେବ ନାହିଁ । ସେଥିପାଇଁ ସରକାରୀ ବ୍ୟାଙ୍କଗୁଡିକ ପୁଞ୍ଜି ବଜାରରେ ପ୍ରବେଶ କରି ପାଣ୍ଠି ଯୋଗାଡ କରିବାକୁ ଯୋଜନା ରଖିଛନ୍ତି ।