ଏସବିଆଇ ଗ୍ରାହକଙ୍କ ବୋଝ କମାଇଲା ବ୍ୟାଙ୍କ ! କମିଲା ସର୍ବନିମ୍ନ ଜମା ରାଶି ଉପରେ ଫାଇନ୍, ଦେଖନ୍ତୁ କେମିତି ଉପକୃତ ହେବେ ଗ୍ରାହକ ।

49

କନକ ବ୍ୟୁରୋ : ଷ୍ଟେଟବ୍ୟାଙ୍କ ଆଣିଛି ନୂଆ ନିୟମ । ମିନିମମ ବାଲାନ୍ସ ବା ସର୍ବନିମ୍ନ ଅର୍ଥ ରଖିବାର ନିୟମରେ ସୁଧାର ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ  । ଆକାଉଣ୍ଟରେ ସର୍ବନିମ୍ନ ଅର୍ଥରାଶି ରହିବା ନେଇ ପୂର୍ବ ନିୟମରେ ସଂଶୋଧନ କରାଯାଇଛି । ପୂର୍ବ ନିୟମ ଅନୁଯାୟୀ, ନିଜ ଜମା ଖାତାରେ ସର୍ବନିମ୍ନ ଅର୍ଥରାଶି ନରଖିଲେ ଆପଣଙ୍କୁ ଫାଇନ ଦେବାକୁ ପଡୁଥିଲା । କିନ୍ତୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଇନର ପରିମାଣ ପାଖାପାଖି ୭୫ପ୍ରତିଶତ କମ କରିଛି ।  ତେବେ ଏପ୍ରିଲ ୧ ତାରିଖରୁ ଲାଗୁ ହୋଇଥିବା ଏହି ନିୟମ ଯୋଗୁଁ ପ୍ରାୟ ୨୫କୋଟି ଗ୍ରାହକ ଲାଭବାନ ହେବେ । ତେବେ ଜାଣନ୍ତୁ କଣ ରହିଛି ଏହି ନୂଆ ନିୟମ ।

ଏସବିଆଇର ନୂଆ ନିୟମରେ କ’ଣ ରହିଛି ?

୧. ମେଟ୍ରୋସିଟି ଗ୍ରାହକମାନଙ୍କୁ ମିନିମମ ବାଲାନ୍ସ ୩୦୦୦ଟଙ୍କା,  ସହରରେ ୨୦୦୦ଟଙ୍କା ଏବଂ ଗାଁ ମାନଙ୍କରେ ୧୦୦୦ଟଙ୍କା ରଖିବା ବାଧ୍ୟତାମୂଳକ ହେବ  ।

୨. ମେଟ୍ରୋ ଏବଂ ସହରାଞ୍ଚଳ ଉପଭୋକ୍ତା ସର୍ବନିମ୍ନ ଅର୍ଥ ନ ରଖିଲେ ମାସକୁ ୫୦ଟଙ୍କା ଓ ଜିଏସଟି ବାବଦକୁୂ ଅତିରିକ୍ତ ୧୫ ଟଙ୍କା ଦେବେ  ।

୩. ଗ୍ରାମାଂଚଳ ଉପଭୋକ୍ତା ସର୍ବନିମ୍ନ ଅର୍ଥ ନ ରଖିଲେ ମାସିକ ୪୦ଟଙ୍କା ଏବଂ ଜିଏସଟି ବାବଦକୁ ଅତିରିକ୍ତ ୧୨ ଟଙ୍କା ଦେବେ  ।

ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ ନେଟୱର୍କ  । ଦେଶବ୍ୟାପୀ ଏହାର ୨୨ ହଜାର ୯୦୦ ଟି ଶାଖା ଥିବା ବେଳେ ୫୮ ହଜାର ୯୧୬ଟି ଏଟିଏମ୍ ରହିଛି  । ଆକାଉଣ୍ଟରେ ସର୍ବନିମ୍ନ ଅର୍ଥରାଶି ରହିବା ନେଇ ପୂର୍ବ ନିୟମକୁ ସଂଶୋଧନ କରିବା ଦ୍ୱାରା କୋଟି କୋଟି ଗ୍ରାହକ ଲାଭବାନ ହେବେ  । ଅନ୍ୟପଟେ ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ଜିଏସଟିକୁ ନଜରରେ ରଖି ଗ୍ରାହକଙ୍କୁ ୧୦ ଟଙ୍କା ଦେବାକୁ ପଡିବ । ତେବେ ନୂଆ ନିୟମ ଅନେକାଂଶରେ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିଛି  ।