ଏଣିକି ଟଙ୍କା ପାଇଁ ଆଉ ଯିବାକୁ ପଡିବନି ଏଟିଏମ୍: ଆପଣଙ୍କ ଗୋଟିଏ ମେସେଜ୍ କିମ୍ବା ଫୋନ୍ କଲରେ ଘର ଦୁଆରେ ପହଞ୍ଚିବ ଏଟିଏମ ମେସିନ୍; ଗ୍ରାହକଙ୍କ ସୁବିଧା ପାଇଁ ହ୍ୱାଟସଆପ୍ ଏବଂ ଟୋଲ ଫ୍ରି ନମ୍ବର ଜାରି କଲା ଏସବିଆଇ

597

କନକ ବ୍ୟୁରୋ: କଥାରେ ଅଛି ପାଣି ଶୋଷ ପାଖକୁ ଯାଏନି ବରଂ ଶୋଷ ପାଣିପାଖକୁ ଆସିଥାଏ । କିନ୍ତୁ ଏଟିଏମ ମେସିନ ମାମଲାରେ ଆଉ ଏଭଳି ହେବ ନାହିଁ । ଏଣିକି ଆପଣଙ୍କୁ କ୍ୟାସ ନେବାକୁ ଆଉ ଏଟିଏମ ମେସିନକୁ ଦୌଡିବାକୁ ପଡିବ ନାହିଁ । ବରଂ ଖୋଦ୍ ଏଟିଏମ ମେସିନ୍ ଟଙ୍କା ଦେବାକୁ ଆପଣଙ୍କ ଘରକୁ ଆସିବ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ଏଭଳି ଏକ ନୂଆ ସର୍ଭିସ୍  ।  ଯେଉଁଥିରେ ଆପଣ ଏବେ କେବଳ ଏକ ହ୍ୱାଟସଆପ ମେସେଜ ଜରିଆରେ ଏଟିଏମ ମେସିନକୁ ନିଜ ଘରକୁ ଡାକିପାରିବେ ।

ହ୍ୱାଟସଆପ୍ ମେସେଜରେ ଘରେ ପହଞ୍ଚିବ ମେସିନ୍

ଆପଣଙ୍କ ଗୋଟିଏ କଲରେ ବ୍ୟାଙ୍କ ପଠାଇବ ଏଟିଏମ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ନିଜର ମୋବାଇଲ ଏଟିଏମ ମେସିନକୁ ଘରକୁ ଘର ନେବାକୁ ନିଷ୍ପତି ନେଇଛି । ଏଥିପାଇଁ ଏସବିଆଇ ଆପକୀ ମାଙ୍ଗ ପର୍, ଏଟିଏମ୍ ଆପକେ ଦ୍ୱାର ପେ, ସେବାର ଶୁଭାରମ୍ଭ କରିଛି । ଏନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ଯେ, ଆପଣ କେବଳ ଆମକୁ ଗୋଟିଏ ହ୍ୱାଟସଆପ କରନ୍ତୁ ଏବଂ ଆମେ ଏଟିଏମ ମେସିନ ଆପଣଙ୍କ ଘର ସାମ୍ନାରେ  ନେଇ ପହଂଚିଯିବୁ । ଖାଲି ହ୍ୱାଟସଆପ ମେସେଜ ନୁହେଁ ବରଂ ଆପଣ ନିଜ ରେଜିଷ୍ଟର୍ଡ ଫୋନ ନମ୍ବରରେ କଲ କରି ମଧ୍ୟ ମୋବାଇଲ ଏଟିଏମକୁ ନିଜ ଘରକୁ ଡାକିପାରିବେ । ତେବେ ଏସିବିଆଇର ଏହି ନୂଆ ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନ ଲକ୍ଷ୍ନୌରେ ଆରମ୍ଭ ହୋଇସାରିଛି ।

ମିନିମମ୍ ବାଲାନ୍ସ ଏବଂ ଏସଏମଏସ୍ ପାଇଁ ଲାଗିବନି ଚାର୍ଜ 

ଏଣିକି ଏସିବିଆଇରେ ଥିବା ବ୍ୟାଙ୍କ ଆକାଉଂଟରେ ସର୍ବନିମ୍ନ ଅର୍ଥରାଶି ନରଖିଲେ ଆଉ ଲାଗିବ ନାହିଁ ଚାର୍ଜ । ଖାତାରେ ମିନିମମ ବାଲାନ୍ସ ନରଖିଲେ ଏବଂ ବ୍ୟାଙ୍କ ଜନିତ ସୂଚନା ପାଇଁ ପଠାଯାଉଥିବା ଏସଏମଏସ ଆଲର୍ଟ ବାବଦକୁ ଲାଗୁଥିବା ଶୁଳ୍କ  ଏଣିକି ଆଉ ଗ୍ରାହକଙ୍କଠାରୁ ଆଦାୟ କରିବ ନାହିଁ ଷ୍ଟେଟ ବ୍ୟାଙ୍କ ।ଏନେଇ ଏସବିଆଇ ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।