ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ସାବିତ୍ରୀ ।

98

କନକ ବ୍ୟୁରୋ: ଖଟିଆ ଉପରେ ଖେଳିପାରୁନଥିବା ରୋଗୀଣା ପୁଅ, କୋଳରେ ମୁଣ୍ଡକୁ ରଖି ଆଉଁସି ଦେଇ କାନ୍ଦି ପକାଉଛି ମା’ । ପାଦକୁ ଘସିମୋଡ଼ି ଦେଇ ଭାଇ ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛି ହତଭାଗୀ ଭଉଣୀ । କେଜାଣି ହସିଲା ସଂସାର ଉପରେ କାହାର ନଜର ଲାଗିଲା!! ସ୍ୱାମୀ ଆର ପାରିକୁ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ଧରି କଷ୍ଟରେ ଦିନ କାଟୁଛନ୍ତି ବିଧବା ମାଆ ।

ଢେଙ୍କାନାଳ ଗତରେଇ ଗାଁର ସାବିତ୍ରୀ ବେହେରା । ଦଇବ ଦେଇଥିବା ଦୁଃଖ ସହ ଦିଦ୍ୟାଙ୍ଗ ପୁଅକୁ ଧରି ଜୀବନ-ଯନ୍ତ୍ରଣା ସହ ଲଢ଼େଇ କରୁଛନ୍ତି । ବିଧବା ଭତା ମିଳୁନାହିଁ କି ଅନ୍ୟ ସରକାରୀ ସୁବିଧା ନାହିଁ ହେଲେ ପୁଅର ଝାଳକୁ ପଣତରେ ପୋଛି ଦେଇ ପାନିଆରେ ମୁଣ୍ଡକୁଣ୍ଡାଇ ଦେଉଛନ୍ତି ।

ସରକାରଙ୍କର ଯୋଜନା ଅନେକ ହେଲେ ତାହା ଗରିବଙ୍କୁ ଉପହାସ କଲା ଭଳି ମନେ ହୁଏ । ସ୍ୱାମୀଙ୍କ ଦେହାନ୍ତ ପରେ ପରେ ଯେମିତି ସାବିତ୍ରୀଙ୍କ ପରିବାର ଉପରକୁ ଯନ୍ତ୍ରଣାର ଜୁଆର ମାଡ଼ିଆସିଛି । ପୁଅ ଗନ୍ଧର୍ବ ବେହେରା କୌଣସି କାରଣରୁ ଅସୁସ୍ଥ ହୋଇ ଧୀରେଧୀରେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଗଲେ । ତା’ ଉପରେ ସାବିତ୍ରୀଙ୍କୁ ବିଧବା ଭତା ମିଳୁନି । ବରଂ ପୁଅ ପାଉଥିବା ୭ ସହ ଟଙ୍କା ଭତା ଓ ଚାଉଳ ଗଣ୍ଡିଏ ମିଳୁଛି । ଯାହାଫଳରେ ୩ଜଣ ମଣିଷ ଆଜିର ଦୁନିଆରେ ଚଳିବା କଷ୍ଟ ହେଉଛି ।

ଦିବ୍ୟାଙ୍ଗ ପୁଅକୁ ଛାଡ଼ି କୌଣସି କାମକୁ ମଧ୍ୟ ସାବିତ୍ରୀ ଯାଇପାରୁ ନାହାନ୍ତି । ଯେଉଁଠି ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ସାବିତ୍ରୀଙ୍କୁ ଭତା ସାଙ୍ଗକୁ ପୁଅକୁ ୩ ଚକିଆ ସାଇକେଲ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଦେବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି । ଆଉ ଏହି ଖବର ନେଇ କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି ଯଦି ଏ ଘଟଣା ସତ ହୋଇଥିବ ତେବେ ବିଡ଼ିଓଙ୍କ ସହ ଆଲୋଚନା କରି ତୁରନ୍ତ କିପରି ସହାୟତା କରିହେବ ସେନେଇ ପଦକ୍ଷେପ ନେବେ ।

ଆପଣ ଯଦି ସାବିତ୍ରୀଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଥାନ୍ତି ତେବେ ଏହି ଠିକଣାରେ ସହାୟତା କରିପାରିବେ…
ନାମ ସାବିତ୍ରୀ ବେହେରା
ଗ୍ରାମ-ଗତରେଇ
ଆକାଉଣ୍ଟ ନଂ-35616988504
IFSC କୋଡ୍- SBIN0009841