ଭାରତୀୟ ମହିଳା ହକି ଦଳର ନୂଆ ୱାଲ । ଅଷ୍ଟ୍ରେଲିଆର ୭ଟି ପେନାଲ୍ଟି କର୍ଣ୍ଣରକୁ ଅଟକାଇ କମାଲ କଲେ ପୁନିଆ, ପ୍ରଥମଥର ସେମିଫାଇନାଲ ଟିକେଟ ହାତେଇ ଇତିହାସ ରଚିଲା ଟିମ୍ ଇଣ୍ଡିଆ ।

319

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି ମହିଳା ଦଳ । ଗତକାଲି ପୁରୁଷ ହକି ଦଳ ଦୀର୍ଘ ବର୍ଷ ପରେ ଅଲମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ଆଜି ଭାରତୀୟ ମହିଳା ହକି ଦଳ ମଧ୍ୟ ଐତିହାସିକ ବିଜୟ ସହ ସେମିଫାଇନାଲ ଟିକେଟ ହାତେଇଛି । ତେବେ ଏହି ବିଜୟ ପଛର ସବୁଠୁ ବଡ ଚେହେରା ସାଜିଛନ୍ତି ଭାରତୀୟ ମହିଳା ହକି ଦଳର ଗୋଲକିପର ସବିତା ପୁନିଆ । ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ପୁନିଆଙ୍କୁ ଭାରତୀୟ ଦଳର ୱାଲ ବୋଲି କୁହାଯାଉଛି । ପୂର୍ବରୁ ପୁରୁଷ ହକି ଦଳର ଗୋଲକିପର ଶ୍ରୀଜେଶଙ୍କୁ ଏହି ଟ୍ୟାଗ୍ ଦିଆଯାଉଥିବା ବେଳେ ଏବେ ପୁନିଆଙ୍କୁ ମଧ୍ୟ ସେହି ତାଲିକାରେ ସାମିଲ କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ ।

ଦୁଇ ଦୁଇ ଥର ଅଲମ୍ପିକ୍ସ ବିଜେତା ଅଷ୍ଟ୍ରେଲିଆ ମହିଳା ହକି ଟିମକୁ ମ୍ୟାଚ୍ ପୂର୍ବରୁ ଫେଭରିଟ ବୋଲି କୁହାଯାଉଥିଲା । କିନ୍ତୁ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିନଥିଲା । ଅଷ୍ଟ୍ରେଲିଆକୁ ୭ଟି ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରିନଥିଲା କଙ୍ଗାରୁ ଦଳ । କାରଣ ଭାରତୀୟ ଗୋଲପୋଷ୍ଟ ଆଗରେ ୱାଲ ସାଜି ଛିଡା ହୋଇଥିଲେ ସବିତା ପୁନିଆ । ଅଷ୍ଟ୍ରେଲିଆର ସମସ୍ତ ପେନାଲ୍ଟି କର୍ଣ୍ଣର ସଟକୁ ପଣ୍ଡ କରିଥିଲେ ସବିତା । ଏପରିକି ମ୍ୟାଚ୍ ସରିବାର ଶେଷ ୩ ମିନିଟ ମଧ୍ୟରେ ଅଷ୍ଟ୍ରେଲିଆକୁ ୨ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ଗୋଲ କରିବାରେ ଫେଲ ମାରିଥିଲା କଙ୍ଗାରୁ ଟିମ୍ । ଶେଷ ୩ ମିନିଟରେ ୨ଟି ପେନାଲ୍ଟି କର୍ଣ୍ଣର ସଟକୁ ଅଟକାଇ ପୁନିଆ ଅଷ୍ଟ୍ରେଲିଆକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ । ଆଉ ଏଭଳି ଚମତ୍କାର ପ୍ରଦର୍ଶନ ପରେ ସବିତାଙ୍କୁ ଭାରତୀୟ ମହିଳା ହକି ଦଳର ନୂଆ ୱାଲ ଭାବେ ପରିଚୟ ମିଳିଛି । ଏପରିକି ସବିତାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଦେଶବାସୀ ।

ଆସନ୍ତା ଅଗଷ୍ଟ ୪ ତାରିଖରେ ସେମିଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ମହିଳା ହକି ଦଳ । ଏହାପୂର୍ବରୁ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୩-୦ ଗୋଲରେ ମାତ୍ ଦେଇ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଏସବୁ ଭିତରେ ଯଦି ଭାରତୀୟ ମହିଳା ଟିମ୍ ସେମିଫାଇନାଲ ମୁକାବିଲା ଜିତିବାରେ ସଫଳ ହୁଏ ତେବେ ଏକ ନୂଆ ଇତିହାସ ରଚିବ ଟିମ୍ ଇଣ୍ଡିଆ ।