କନକ ବ୍ୟୁରୋ: ଆୟତ ହେଲା ଅଗ୍ନି, ନିୟନ୍ତ୍ରଣ ହେଲା ନିଆଁ । ଶିମିଳିପାଳ ଶରୀରରୁ ଲିଭିଗଲା ନିଆଁ । ଅଣାୟତ୍ତ ନିଆଁ ଆୟତ୍ତ ହେବା ପରେ ଏବେ ଆଶ୍ୱସ୍ତି ଅନୁଭବ କରୁଛି ଶିମିଳିପାଳ । ଭୟଙ୍କର ଜଙ୍ଗଲୀ ନିଆଁ ଉଭେଇଯିବା ପରେ ଏବେ ଜୀବନ ଫେରି ପାଇଛି ସବୁଜ ବନାନୀ ଶିମିଳିପାଳ । ତେବେ ବିଗତ ୧୫ ଦିନରୁ ଅଧିକ ହେବ ବନାଗ୍ନିର ପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିଲା ଶିମିଳିପାଳ । କେମିତି ନିଆଁ ଲାଗିଲା, କେଉଁଠୁ ନିଆଁ ବ୍ୟାପିଲା, କିଏ ନିଆଁ ଲଗାଇଲା ଏ ସବୁ ପ୍ରଶ୍ନ ସରକାର ଖୋଜୁଥିବା ବେଳେ ଆମେ କିନ୍ତୁ ଜଙ୍ଗଲର ଜୀବନ ବଞ୍ଚାଇବାକୁ ଆରମ୍ଭ କରିଥିଲୁ ପ୍ରୟାସ । ଶିମିଳିପାଳ ହୁ ହୁ ହୋଇ ଜଳୁଥିବା ବେଳେ ସରକାରଙ୍କ ନିଦ ଭଙ୍ଗେଇବାକୁ କନକ ନ୍ୟୁଜ୍ ତା ଡିଜିଟାଲ ପ୍ଲାଟଫର୍ମରେ ଆରମ୍ଭ କରିଥିଲା ନିଆଁଲିଭା ଅଭିଯାନ । ଶିମିଳିପାଳର ଜୈବ ବିବିଦ୍ଧତାକୁ ରକ୍ଷା କରିବାକୁ ଆମେ ଅଣ୍ଟା ଭିଡିଥିଲୁ । ଆଉ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ସ୍ୱର ସାଜିଥିଲୁ ।

Advertisment

ଅଭିଯାନ ଆରମ୍ଭର କେଇ ଘଣ୍ଟା ପରେ ସୋସିଆଲ ମିଡିଆରେ କୋଟି କୋଟି ଲୋକଙ୍କ ସ୍ୱର ଏକ ଆନ୍ଦୋଳନରେ ପରିଣତ ହେଲା । ସେଭ ଶିମିଳିପାଳ ହାସଟ୍ୟାଗରେ ଯେଉଁ ଅଭିଯାନ ଆରମ୍ଭ କରିଥିଲୁ ତାହାକୁ ଲୋକେ ଗ୍ରହଣ କଲେ ଆଉ ତା ମାଧ୍ୟମରେ ସରକାରଙ୍କୁ ଜଙ୍ଗଲ ନିଆଁ ଲିଭାଇବାକୁ ଗୁହାରୀ କଲେ । ଫେସବୁକ, ଟୁଇଟର, ୟୁଟ୍ୟୁବ, ହ୍ୱାଟ୍ସଆପ, ଇଷ୍ଟା, ଟେଲିଗ୍ରାମ, କୁ ମାଧ୍ୟମରେ ଆମେ ଲୋକଙ୍କ ଅନୁରୋଗକୁ ଦେଖାଇଥିଲୁ । ବାସ୍ ଆନ୍ଦୋଳନର ଦିନକ ପରେ ଶିମିଳିପାଳ ନିଆଁ ଲିଭା ପାଇଁ ତତ୍ପର ହେଲେ ସରକାର । ସଙ୍ଗେସଙ୍ଗ ଗଠନ କଲେ ଟାସ୍କ ଫୋର୍ସ । ହେଲିକପ୍ଟରରେ ପାଣି ବର୍ଷା କରି ନିଆଁ ଲିଭାଇବାକୁ ଦାବି କରାଯାଉଥିଲେ ବି ସରକାର କିନ୍ତୁ ବନ କର୍ମଚାରୀ, ଓଡ୍ରାଫ ଟିମ୍‌, ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରି ନିଆଁ ଲିଭାଇଥିଲେ ।

publive-image

ସେପଟେ ନିଆଁକୁ ନେଇ ରାଜନୀତି ଜୋର ଧରିଥିଲା । ବିଜେପି-ବିଜେଡି ରାଜନୀତି କରି ଶିମିଳିପାଳରେ ବି ପହଁଞ୍ଚିଥିଲେ । କିନ୍ତୁ ଶେଷରେ ନିଜ ଦେହରେ ଲାଗିଥିବା ନିଆଁକୁ ନିଜେ ଲିଭାଇଲା ପ୍ରକୃତି । ଶିମିଳିପାଳର କରୁଣ କାନ୍ଦ ଶୁଣି ସବୁଆଡୁ ନିଆଁ ଲିଭାଇବାକୁ ସହାୟତାର ଶବ୍ଦ ବଢୁଥିଲେ ବି ନିଆଁ କିନ୍ତୁ ଲିଭିବାର ନାଁ ନେଉନଥିଲା । ଖାଲି ଶିମିଳିପାଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ସେହି ସପ୍ତାହ ଭିତରେ ଜଙ୍ଗଲ ଜଳିବାର ଖବର ଆସିଲା । ଆଜି ବଲାଙ୍ଗିର ତ କାଲି ବାରିପଦା, ଆଜି ଚଣ୍ଡିଖୋଲ ତ କାଲି ଚନ୍ଦକା । ଜଙ୍ଗଲୀ ନିଆଁ ଏକ ପ୍ରକାର ସମସ୍ତଙ୍କୁ ସ୍ତବ୍ଧ କରପକାଇଥିଲା । ତେବେ ଜଳୁଥିବା ନିଆଁ ଲିଭାଇବାକୁ ଲୋକେ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ବେଳେ ଲଗାତାର ତିନିଦିନ ଧରି ଶିମିଳିପାଳ ଅଞ୍ଚଳରେ ବର୍ଷା ହେଉଛି । ଆଉ ବର୍ଷା ପାଇଁ ଶିମିଳିପାଳ ଛାତିରୁ ନିଆଁ ଲିଭିଛି । ଅନ୍ୟପଟେ ରାତିଦିନ ଏକ କରି ନିଆଁଲିଭାରେ ଲାଗିଥିବା ସମସ୍ତ ଜଙ୍ଗଲ ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ନିଆଁ ଆୟତ୍ତ ହୋଇଛି । ତେବେ ଯେଯାଏଁ ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ନଲିଭିଛି ସେପର୍ଯ୍ୟନ୍ତ ଆମ ଜଙ୍ଗଲ ସୁରକ୍ଷା ପାଇଁ ଆମର ଦାୟିତ୍ୱ ଆମେ ବଜାୟ ରଖିବୁ...