ଏପ୍ରିଲ ୧୪ରେ ଦେଶବ୍ୟାପୀ ଆପ୍ ପାଳିବ ସମ୍ବିଧାନ ବଞ୍ଚାଓ, ଏକଛତ୍ରବାଦୀ ଶାସନ ହଟାଅ ଦିବସ । ଏପଟେ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ବିଜେପିର ବିକ୍ଷୋଭ ।

91

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ । ଅପ୍ରେଲ ୧୪ରେ ‘ସମ୍ବିଧାନ ବଂଚାଅ ଏକଛତ୍ରବାଦୀ ଶାସନ ହଟାଅ’ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବ ଆମ୍ ଆଦମୀ ପାର୍ଟି । ଏନେଇ ତିହାର ଜେଲରୁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ଏକଛତ୍ରବାଦୀ ଶାସନକୁ ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆପ୍ ର ସମସ୍ତ ସାଂସଦ ବିଧାୟକ, ନେତା ଓ କର୍ମୀ ମାନେ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଗୋପାଲ ରାଏ ।

ସେପଟେ ଗିରଫଦାରୀକୁ ନେଇ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତୁରନ୍ତ ଶୁଣାଣୀ କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି । ସେପଟେ ବୁଧବାର ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । ଇଡିର ବିରୋଧ ପରେ ନିଜ ଆଇନଜୀବୀଙ୍କୁ ଅଧିକ ସମୟ ଦେବାକୁ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଆଇନଜୀବୀଙ୍କ ସହ ବୈଠକ ପାଇଁ କେଜ୍ରିୱାଲ ସପ୍ତାହକୁ ୫ଦିନ ସମୟ ମାଗିଥିବା ବେଳେ ଏବେ ଏହାକୁ ୨ଦିନରେ ସୀମିତ କରାଯାଇଛି ।

କେଜ୍ରିୱାଲଙ୍କ ସମର୍ଥନରେ ଓ ବିରୋଧରେ ହୁଲୁସ୍ତୁଲ ରାଜଧାନୀୀ ଦିଲ୍ଲୀ । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦାବି କରି ଆଜି ଦିଲ୍ଲୀରେ ଜୋରଦାର ବିକ୍ଷୋଭ କରିଛି ବିଜେପି । ଶହ ଶହ କର୍ମୀ କେଜ୍ରିୱାଲଙ୍କ ଘର ଓ ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ ବିରୋଧ ପ୍ରଦର୍ଶନ କରିଛି । କେଜ୍ରିୱାଲଙ୍କ ଫଟୋ ଓ ପୋଷ୍ଟରେ କାଳିମାଡ କରିଛି ବିଜେପି । ପ୍ରତିବାଦ ସମୟରେ ଉଭୟ ପୁଲିସ ଓ ବିଜେପିକର୍ମୀ ସଂଘର୍ଷ ଯୋଗୁଁ କିଛି ଆହତ ହୋଇଥିବା ଜଣାପଡିଛି ।