କନକ ବ୍ୟୁରୋ: ପ୍ରକୃତି କୋଳରେ ସଭିଏର୍ ସମାନ । ସିଏ ମଣିଷ ହେଉ ଅବା ପଶୁ, ସମସ୍ତଙ୍କୁ ପ୍ରକୃତି ତା’ ପିଠିରେ ବସାଇଛି । ହେଲେ ଦିନକୁ ଦିନ ଲୋକେ ଜାଗା ପାଇଁ ଯେମିତି ଜଙ୍ଗଲ ମୁହାଁ ହେଉଛନ୍ତି ଠିକ୍ ସେମିତି ଜଙ୍ଗଲୀ ଜନ୍ତୁମାନେ ମଧ୍ୟ ବାସହରା ହୋଇ ଜନବସତି ମୁହାଁ ହେଉଛନ୍ତି । ଆଉ ଏହାପରେ ଆରମ୍ଭ ହେଉଛି ମଣିଷ-ଜଙ୍ଗଲୀ ଜନ୍ତୁ ମଧ୍ୟରେ ଲଢ଼େଇ । ତେବେ ଜୀବଜନ୍ତୁଙ୍କ ପ୍ରକୃତ ସ୍ଥାନ ଜଙ୍ଗଲ, ଏବଂ ଏହାକୁ ନଷ୍ଟ କରନ୍ତୁ ନାହିଁ ବୋଲି ମଣିଷଜାତିକୁ ବାଲୁକା କଳାରେ ବୁଝାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Advertisment

ପୁରୀ ବେଳାଭୁମିରେ ସୁଦର୍ଶନଙ୍କ ଏମିତି ଏକ ଚିତ୍ର ଯାହାକୁ ଦେଖିଲେ ସଭ୍ୟ ସମାଜରେ ଥିବା ଲୋକଙ୍କ ଆଖି ଓଦା ଓଦା ହୋଇଯିବ । ଦେଖନ୍ତୁ ଏହି ଚିତ୍ରକୁ ସତେ ଯେମିତି ହାତୀ ଛୁଆଟି ଗଛ ଗଣ୍ଡିକୁ ଧରି କାନ୍ଦି କାନ୍ଦି କହୁଛି...ଆମକୁ ବଞ୍ଚିବାକୁ ଦିଅ, ଶାନ୍ତିରେ ରହିବାକୁ ଦିଅ...ଆମ ଘର ଭାଙ୍ଗି ଦିଅନା କି ଆମ ବାସସ୍ଥାନକୁ ଜାଳିପୋଡ଼ି ନଷ୍ଟ କରି ଦିଅନା । ଜଙ୍ଗଲୀ ଜନ୍ତୁକୁ ନେଇ ସୁଦର୍ଶନଙ୍କ ଏହି ହୃଦସ୍ପର୍ଶୀ ବାଲୁକା କଳାକୁ ଟ୍ୱିଟରରେ ଅନେକ ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତି । ଆଉ ଯେଉଁମାନେ ବଣ ଜଙ୍ଗଲ ନଷ୍ଟ କରି ବଣୁଆ ଜନ୍ତୁଙ୍କ ବାସସ୍ଥାନକୁ କାଟି ପଦା ପରିଦେଉଛନ୍ତି ସେମାନଙ୍କୁ ବେଳହୁଁ ସୁଧୁରିଯିବାକୁ ସୋସିଆଲ ମିଡ଼ିଆରେ ଆହ୍ୱାନ ଦେଇଛନ୍ତି ବୁଦ୍ଧିଜୀବି ।