କନକ ବ୍ୟୁରୋ : କେଜ୍ରିୱାଲ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଓ ଜେଲ ବିଭାଗ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ମନ୍ତ୍ରୀମଣ୍ଡଳରେ କିଏ ସାମିଲ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସୂତ୍ର ସୂଚନା କହୁଛି କି ସୌରଭ ଭରଦ୍ୱାଜ ଓ ଆତିଶୀଙ୍କୁ ମନ୍ତ୍ରୀପଦ ମିଳିପାରେ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଫାଇଲ ପଠାଇଥିବା କଥା କୁହାଯାଉଛି ।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ, କହିଛନ୍ତି କି , ଆତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀପଦ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କରିସାରିଛନ୍ତି । ଏହାସହ ସଂଜୟ ସିଂ କହିଛନ୍ତି କି, ଏହି ଦୁଇଜଣ ନେତା ସୁନ୍ଦର ଭାବେ ନିଜର ଦାୟୀତ୍ୱ ନିର୍ବାହ କରିବାର ଯୋଗ୍ୟତା ରଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେମାନଙ୍କୁ ଯେଉଁ ମନ୍ତ୍ରଣାଳୟର ଦାୟିତ୍ୱ ମିଳିବ ତାହାକୁ ସେମାନେ ସୂଚାରୁରୂପେ ତୁଲାଇପାରିବେ ବୋଲି ସଂଜୟ ସିଂ କହିଛନ୍ତି ।

ସୂଚନା ଥାଉକି, କାଲକାଜୀ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିରୁ ବିଧାୟକ ଥିବା ଆତିଶୀ ମାରଲେନା ପ୍ରଥମେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ପରାମର୍ଶଦାତା ଥିଲେ । ଦିଲ୍ଲୀର ସରକାରୀ ସ୍କୁଲର କ୍ରାନ୍ତିକାରୀ ପରିବର୍ତ୍ତନ ପଛରେ ଆତିଶୀଙ୍କର ବହୁତ ବଡ ଯୋଗଦାନ ରହିଛି । ଏହା ସହ ଆତିଶୀ ଜଣେ ଉଚ୍ଚଶିକ୍ଷିତା । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ।

ସେହିଭଳି ସୌରଭ ଭରଦ୍ୱାଜ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଲାଶ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହାସହ ସେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ପ୍ରବକ୍ତା ମଧ୍ୟ ରହିଛନ୍ତି । କେବଳ ସେତିକି ନୁହେଁ ସେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ।