ତାଳଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସଉରା ଆଦିବାସୀ, ୧୨ ଶହରୁ ଅଧିକ ଚାଷୀ ହେଉଛନ୍ତି ଲାଭବାନ

66

କନକ ବ୍ୟୁରୋ : ତାଳଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସଉରା ଆଦିବାସୀ । ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏହି ଅଂଚଳର ଲୋକଙ୍କ ରୋଜଗାର କହିଲେ ମକା ଏବଂ ଧାନ ଚାଷ । କିନ୍ତୁ ୧୯୫୯ ମସିହାରୁ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଲୁବୁରର୍ସିଂ ଠାରେ ଏକ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨ଶହରୁ ଅଧିକ ଚାଷୀ ଲାଭବାନ ହୋଇପାରୁଛନ୍ତି । ଏଠାକାର ଆଦିବାସୀ ଲୋକ ମାନେ ପୂର୍ବରୁ ଖଜୁରୀ ରସକୁ ମଦ ଭାବେ ବ୍ୟବହାର କରୁଥିଲେ । ପ୍ରକଳ୍ପ ନିର୍ମାଣ ହେବା ପରେ ସେହି ଖଜୁରୀ ରସରୁ ତାଳଗୁଡ଼ ପ୍ରସ୍ତୁତ କରି ରୋଜଗାର ପାଇପାରୁଛନ୍ତି । ସଂଧ୍ୟା ସମୟରେ ଗଛର ଅଗ୍ରଭାଗକୁ କାଟି ସେଥିରେ ଏକ ହାଣ୍ଡି ଲଗାଇଥାଆନ୍ତି । ଭୋର ସକାଳୁ ସେହି ହାଣ୍ଡିରେ ଭରି ହୋଇଥିବା ଖଜୁରୀ ରସକୁ ବାହାରକରି ଜୈବିକ ପ୍ରଣାଳୀରେ ଗୁଡ଼ ତିଆରି କରନ୍ତି ।

ଏହି ଗୁଡ଼କୁ ଚାଷୀ କିଲୋ ପିଛା ୧୦୦ ଟଙ୍କାରେ ତାଳଗୁଡ଼ ସମବାୟ ସମିତିରେ ବିକ୍ରି କରୁଥିବା ବେଳେ ଏହାର ବଜାର ଦର ୨୦୦ଟଙ୍କା ରହିଛି । ଏହି ଗୁଡ଼ ପ୍ରସ୍ତୁତ କରି ଦୈନିକ ୭୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଚାଷୀ । ଖଜୁରୀ ରସରୁ ପାଣି ଗୁଡ଼, ପାଉଡର ଗୁଡ଼ ଓ ଚେକା ଗୁଡ଼ ପ୍ରସ୍ତୁତ କରୁଛନ୍ତି ଚାଷୀ । ଏହାର ରଙ୍ଗ କଳା ଓ ଧୂସର ରଙ୍ଗ ହୋଇଥିବା ବେଳେ ଏହାର ସ୍ୱାଦ ଖୁବ୍ ନିଆରା । ଏହି ଗୁଡ଼ରୁ ପ୍ରଚୁର ପରିମାଣର ଆଇରନ୍ ଓ ଭିଟାମିନ୍ ମିଳିଥାଏ । ଏହାର ଔଷଧୀୟ ଗୁଣ ଅଧିକ ରହିଥିବାରୁ ଚାହିଦା ମଧ୍ୟ ଅଧିକ ରହିଛି ।