ବିଶ୍ୱ ଦରବାରରେ ପୁଣି ଅପଦସ୍ତ ହେଲା ପାକିସ୍ତାନ । କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବାକୁ ସିଧାସଳଖ ମନାକଲା ସାଉଦି ଆରବ ।

1,110

କନକ ବ୍ୟୁରୋ : ଇସ୍ଲାମୀୟ ଦେଶଗୁଡ଼ିକରେ ଭାରତର ପ୍ରଭାବ ବୃଦ୍ଧି ପାଇଚାଲିଥିବାବେଳେ ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି । ପାକିସ୍ତାନ ଅନ୍ତର୍ଜାତୀୟ ଇସ୍ଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି । ଅନ୍ୟପକ୍ଷରେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ କରିଚାଲିଛି ।

ନିକଟରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭେଟିବାକୁ ମନା କରିଦେବା ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଏହା ଫଳରେ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବେ ଚୀନର ନିୟନ୍ତ୍ରଣକୁ ଆସିଯାଇଛି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ କରିଛନ୍ତି । ଏପରିକି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବ ନାହିଁ ଇସ୍ଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ ରୋକଠୋକ ଜଣାଇଦେଇଛି ।