ଦୀର୍ଘ ୭୦ ବର୍ଷ ପରେ ଏହି କଟ୍ଟର ମୁସଲିମ ଦେଶରେ ବିକ୍ରି ହେବାକୁ ଯାଉଛି  ମଦ

213

ବର୍ତ୍ତମାନ ଅର୍ଥନୀତି ପାଇଁ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଏକ ନୂତନ ବିକଳ୍ପ ଭାବରେ ମୁସଲମାନ ଦେଶମାନେ ନିଜକୁ ପ୍ରସ୍ତୁତ କରିବାକୁ ଆରମ୍ଭ କରିଦେଲେଣି । ଧୀରେ ଧୀରେ ସେମାନେ ଅନୁଭବ କରୁଛନ୍ତି ଯେ ମଦ ମଧ୍ୟ ଉଭୟ ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ  ସହାୟକ ହେଇପାରେ । ଏହି କ୍ରମରେ ରାଜଧାନୀ ରିୟାଦରେ ସାଉଦି ଆରବ ଏହାର ପ୍ରଥମ ମଦ ଦୋକାନ ଖୋଲିବାକୁ ଯାଉଛି । ‘ଭିଜନ୍ 2030’ ନାମକ ଏକ ବ୍ୟାପକ ଯୋଜନାର ଏହା ମଧ୍ୟ ଏକ ଅଂଶବିଶେଷ ।

ରାଜଧାନୀ ରିୟାଦରେ ପ୍ରଥମ ଥର ପାଇଁ ସାଉଦି ଆରବ ଏକ ମଦ ଦୋକାନ ଖୋଲିବାକୁ ପ୍ରସ୍ତୁତ ହେଉଛି । ଏହା କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକଙ୍କୁ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡିବ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି । ଏଥିପାଇଁ ସେମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ଏକ କ୍ଲିୟରାନ୍ସ କୋଡ୍ ପାଇବା ଆବଶ୍ୟକ ଏବଂ ଏହି ମଦ ଆମ ଭାରତର ଆର୍ମି ଲୋକମାନଙ୍କ ପରି ମାସିକ କୋଟା ଅନୁସାରେ ମିଳିବ । କୋଟା ଠାରୁ ଅଧିକ ଆପଣ କିଣିପାରିବେ ନାହିଁ ।

ଏହି ପଦକ୍ଷେପ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ପର୍ଯ୍ୟଟନ ତଥା ବ୍ୟବସାୟ ପାଇଁ ‘ଭିଜନ 2030’ ନାମକ ନିଆ ଯାଇଥିବା ଏକ ଯୋଜନାର ଅଂଶବିଶେଷ ।  କଟ୍ଟର ମୁସଲିମ ଦେଶ ଗୁଡିକୁ ବ୍ୟବସାୟ ଏବଂ ପର୍ଯ୍ୟଟନ ପାଇଁ ଉନ୍ମୁକ୍ତ କରିବାପାଇଁ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି ।

ଇସଲାମରେ ମଦ୍ୟପାନ ନିଷେଧ ।

ତୈଳ ପରେ ପରବର୍ତ୍ତୀ ଅର୍ଥନୀତି ଗଠନ ପାଇଁ ଏହି ‘ଭିଜନ 2030’ ନାମକ ବ୍ୟାପକ ଯୋଜନାଗୁଡିକରେ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଏକ ଅଂଶ ବୋଲି ଗଣାଯାଉଛି ।  ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ନୂତନ ଷ୍ଟୋର ରିୟାଦର ଏକ କୂଟନୈତିକ କ୍ୱାର୍ଟରରେ ରହିବ ଯେଉଁଠାରେ ଦୂତାବାସ ଏବଂ କୂଟନୀତିଜ୍ଞମାନେ ରହୁଛନ୍ତି । ଅନ୍ୟ ଅଣ-ମୁସଲମାନ ପ୍ରବାସୀମାନେ ଏହି ସୁବିଧା ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସାଉଦି ଆରବରେ ଲକ୍ଷ ଲକ୍ଷ ବିଦେଶୀ ବାସ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏସିଆ ଏବଂ ଇଜିପ୍ଟର ମୁସଲମାନ ଶ୍ରମିକ। ଯୋଜନାଗୁଡିକ ସହିତ ପରିଚିତ ଏକ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ସପ୍ତାହରେ ଏହି ଷ୍ଟୋର ଖୋଲିବାକୁ ଯାଉଛି ।

ମଦ୍ୟପାନ ବିରୋଧରେ ସାଉଡି ଆରବରେ କଡ଼ା ନିୟମ

ସାଉଦି ଆରବରେ ମଦ୍ୟପାନ କରିବା ବିରୋଧରେ କଡା ନିୟମ ରହିଛି । ପୂର୍ବରୁ ଏଥିପାଇଁ ଶହେ ଥର ଚାବୁକ ମାଡ଼ ଓ ଜୋରିମାନା କିମ୍ବା ଜେଲ ଯିବାକୁ ପଡୁଥିଲା ଏବଂ ପ୍ରବାସୀ ହୋଇଥିଲେ ସେମାନଙ୍କୁ ଦେଶ ଛାଡିବାକୁ ପଡୁଥିଲା । ନୂତନ ଆଇନ ଅନୁସାରେ ଅନୁଯାୟୀ ଚାବୁକ ମାଡ଼କୁ ବଦଳାଇ ଏହାକୁ ଜେଲ ଦଣ୍ଡରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ମଦ କେବଳ କୂଟନୀତିଜ୍ଞ କିମ୍ବା କଳାବଜାରରେ ଉପଲବ୍ଧ ହେଉଥିଲା ।

କଠୋର ନିୟମରେ କୋହଳ

ସାଂପ୍ରତିକ ବର୍ଷଗୁଡିକରେ ସାଉଦି ଆରବ କଠୋର ନିୟମକୁ ଟିକେ କୋହଳ କରିଛି । ଯେପରିକି ସର୍ବସାଧାରଣ ସ୍ଥାନରେ ପୁରୁଷ ଓ ମହିଳାଙ୍କୁ ଅଲଗା ରହିବା ଏବଂ ମହିଳାମାନେ ନିଜକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କଳା ପୋଷାକ ପିନ୍ଧିବା ପରି । ଶାସନ କ୍ଷମତାର ଡୋରି ମଜବୁତ ହେଲାପରେ ରାଜକୁମାର ମହମ୍ମଦ ଏହି ନିୟମ ଗୁଡିକୁ ଟିକେ କୋହଳ କରିଛନ୍ତି । ଯଥା ଅଣ-ଧର୍ମ ପର୍ଯ୍ୟଟନ, ସଙ୍ଗୀତ ସମାରୋହ ତଥା ମହିଳାମାନଙ୍କୁ ଗାଡି ଚଳାଇବାକୁ ଅନୁମତି ଦେବା ।

ଭିଜନ 2030 ରେ  ସ୍ଥାନୀୟ ଶିଳ୍ପ ଏବଂ ଲଜିଷ୍ଟିକ୍ ସେଣ୍ଟରଗୁଡିକର ବିକାଶ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଯାହା ସ୍ଥାନୀୟ  ସାଉଦି ନାଗରିକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।