କେଉଁ ଅପରାଧରେ ସାଉଦୀ ଆରବ ସରକାର ଗୋଟିଏ ଦିନରେ ୭ ଜଣଙ୍କୁ ଦେଲେ ଫାଶୀ । ଜାଣନ୍ତୁ ପୁରା ମାମଲା

3,327

କନକ ବ୍ୟୁରୋ : ମଙ୍ଗଳବାର ଦିନ ସାଉଦୀ ଆରବ ସରକାର ୭ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି । ସରକାରୀ ଗଣମାଧ୍ୟମର ରିପୋର୍ଟ ମୁତାବକ ଆତଙ୍କବାଦ ସହ ଜଡିତ ଅପରାଧରେ ଏମାନଙ୍କୁ ଫାଶୀ ଦିଆଯାଇଛି । ୨୦୨୨ ରେ ଗୋଟିଏ ଦିନରେ ସାଉଦୀ ଆରବ ସରକାର ୮୧ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଏହା ପରେ ମଙ୍ଗଳବାର ଦିନ ସର୍ବାଧିକ ଗୋଟିଏ ଦିନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି ।

ସାଉଦୀ ଆରବର ଅନ୍ତରୀଣ ମନ୍ତ୍ରଣାଳୟର ସୂଚନାକୁ ଉଦ୍ଧୃତ କରି ଜଣେ ଅଧିକାରୀ କହିଛନ୍ତି କି, ୭ଜଣଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡିହେବା ଓ ଆତଙ୍କବାଦୀ ସଂଗଠନ ପ୍ରସ୍ତୁତ କରିବା ସହ ସେମାନଙ୍କୁ ଅର୍ଥ ଯୋଗାଇବା ଅପରାଧରେ ଏଭଳି ଦଣ୍ଡିତ କରାଯାଇଛି । ହେଲେ ଯେଉଁମାନଙ୍କୁ ଫାଶୀ ଦିଆଯାଇଛି ସେମାନଙ୍କ ଜାତୀୟତା ବାବଦରେ କୌଣସି ଖୁଲାସା ହୋଇନାହିଁ । ଅଧିକାରୀ ଜଣଙ୍କ କହିଛନ୍ତି କି, ଏହି ୭ ଜଣ ଆତଙ୍କବାଦୀ ଦୃଷ୍ଟିକୋଣକୁ ଆପଣାଇ ଦେଶର ଯୁବକମାନଙ୍କୁ ହିଂସା କରିବାକୁ ଉସକାଉଥିଲେ । ଏହା ବ୍ୟତୀତ ସେମାନେ ଆତଙ୍କବାଦୀ ସଂଗଠନ ଗଠନ କରିବା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଇଦେବା ଭଳି ଅଭିଯୋଗ ରହିଥିଲା । ଯାହାକି ରାଷ୍ଟ୍ରୀୟ ଅସ୍ଥିରତା ସୃଷ୍ଟି କରୁଥିଲା ।

ଏଏଫପିର ରିପୋର୍ଟ ମୁତାବକ ସାଉଦୀ ଆରବ ହେଉଛି ସେହି ଦେଶ ଯେଉଁଠାରେ ସର୍ବାଧୀକ ଫାଶି ଦଣ୍ଡ ଦିଆଯାଇଥାଏ । ୨୦୨୩ ରେ ଏଠାରେ ୧୭୦ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଦୁଇବର୍ଷ ପୂର୍ବେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦେବା ନେଇ ଅର୍ନ୍ତଜାତୀୟ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଥିଲା ।