କାଶ୍ମୀର ପାଇଁ ଗୁହାରୀ କରୁଛି ପାକିସ୍ତାନ, ବାଟ କାଟୁଛନ୍ତି ଆରବୀୟ ଦେଶ

312

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହି ବିବାଦର ସମାଧାନ ଦିଗକୁ ତ୍ୱରାନ୍ୱିତ କରିବାକୁ ଇସ୍ଲାମିକ୍ ସହଯୋଗ ସଂଗଠନ(ଓଆଇସି)କୁ ଗୁହାରୀ କରିଛି ପାକିସ୍ତାନ । କାଶ୍ମୀର ପୀଡିତ ଏବେ ଓଆଇସି ତଥା ଇସ୍ଲାମିକ୍ ସମୂହ ରାଷ୍ଟ୍ର ଉପରେ ଭରସା କରିଛନ୍ତି ବୋଲି ନ୍ୟୁୟର୍କରେ ଆୟୋଜିତ ଓଆଇସିର ୭୪ ତମ ବୈଠକରେ କହିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରୈସି ।ଏହି ପ୍ରସଙ୍ଗକୁ ୟୁଏନ ମହାସଭା ଏବଂ ମାନବିକ ଅଧିକାର ପରିଷଦରେ ଉଠାଇବାକୁ ଅନୁରୋଧ କରିଛନ୍ତି କୁରୈସି ।

କଥା ହେଉଛି ନିକଟରେ ଶେଷ ହୋଇଥିବା ମିଳିତ ରାଷ୍ଟ୍ର ମହାସଭାର ବୈଠକରେ କାଶ୍ମୀର ପ୍ରସଙ୍ଗକୁ ତୁର୍କୀ ବ୍ୟତୀତ ଆଉ କେହି ଉତଥାପନ କରିନଥିଲେ । ତେଣୁ ବାଧ୍ୟ ହୋଇ ଇସ୍ଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ବୈଠକରେ ଏନେଇ ମୁହଁ ଖୋଲିଲେ କୁରୈସି । ବୈଠକରେ ଉପସ୍ଥିତ ଇରାନ୍ ସାଉଦି ଆରବ ଓ ତୁର୍କୀ ଓ ୟୁନାଇଟେଡ୍ ଆରବ ଏମିରେଟ୍ ରାଷ୍ଟ୍ର ଗୁଡିକ ଉପସ୍ଥିତ ଥିଲେ ବି କେହି ଏହା ଉପରେ ଗୁରୁତ୍ୱ ଦେଇନଥିବା ଦେଖାଯାଇଥିଲା । ତୁର୍କୀ ମଧ୍ୟ ପୂର୍ବ ଭଳି ଆଗ୍ରହ ପ୍ରକାଶ ନକରି ମାନ୍ଦା ପଡିଥିଲା । କାଶ୍ମୀର ପ୍ରସଙ୍ଗ ଏକ ଦୀର୍ଘ ସମୟର ସମସ୍ୟା । ତେଣୁ ଦୁଇ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ କହି କଥା ସାରିଦେଇଥିଲେ ତୁର୍କ ରାଷ୍ଟ୍ରପତି ଏର୍ଦୋଗନ ।

ସୂଚନା ମୁତାବକ, ଏହି ବୈଠକରେ କୁରୈସି ୧୩୧ ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ ଉପସ୍ଥାପନ କରିଥିଲେ । ଏଥିରେ କାଶ୍ମୀରରେ ହୋଇଥିବା ଦଙ୍ଗା ଗୁଡିକୁ ସାମ୍ନା କରିଥିବା ୩୪୩୨ ଜଣ ପୀଡିତଙ୍କ ବୟାନ ରହିଛି । ଯାହାକୁ ପାକିସ୍ତାନର କିଛି ବରିଷ୍ଠ ଅଧିକାରୀ ଉଭୟ ଅଡିଓ ଓ ଭିଡିଓ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ଦସ୍ତାବିଜର ଗୋଟିଏ ଲେଖାଏଁ କପି ଉପସ୍ଥିତ ଦେଶର ପ୍ରତିନିଧି ମାନଙ୍କୁ ବିତରଣ କରିବାକୁ ଓଆଇସିିର ସେକ୍ରେଟାରୀଙ୍କୁ କୁରୈସୀ ଅନୁରୋଧ କରିଥିଲେ । ଯେପର୍ଯ୍ୟନ୍ତ କାଶ୍ମୀର ବିବାଦ ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ବୋଲି ଦୃଢ ଭାବେ କହିଥିଲେ କୁରୈସି ।ଶାହା କୁରୈସୀ କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀରେ ଅସ୍ତ୍ରବିରତି ଚୁକ୍ତି ପରେ କାଶ୍ମୀର ବିବାଦର ସମାଧାନ ପାଇଁ ଭାରତ ଆଲୋଚନା ଆରମ୍ଭ କରିବ ବୋଲି ପାକିସ୍ତାନ ଆଶା କରିଥିଲା କିନ୍ତୁ ଏହା ବଦଳରେ ଭାରତ କଠୋର ମନୋବୃତ୍ତି ପ୍ରକାଶ କରିଛି । ଆଲୋଚନା ପାଇଁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣର ଆବଶ୍ୟକ ଯାହା ଭାରତର ଦାୟିତ୍ୱ । ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିଲେ ବି ଭାରତ ପ୍ରସ୍ତୁତ ନୁହେଁ ବୋଲି ଅଭିଯୋଗ କରିଛନ୍ତି କୁରୈସି ।